ଭୁବନେଶ୍ୱର : ପନିର ଖାଉଛନ୍ତି କି? ତାହାହେଲେ ସାବଧାନ । ପନିର ନାଁରେ ଆପଣଙ୍କ ଥାଳିରେ ପହଞ୍ଚୁନାହିଁ ତ ଅପମିଶ୍ରିତ ପନିର? ବଜାରରେ ଅପମିଶ୍ରିତ ଛେନା ଓ ପନିର ବିକ୍ରି ଅଭିଯୋଗ ପରେ ଏବେ ଆକ୍ସନ୍ ମୋଡ୍ରେ ଫୁଡ୍ ସେଫଟି ଟିମ୍ । ହୋଟେଲ୍ଠାରୁ ରେଷ୍ଟୁରାଣ୍ଟ, ମିଠା ଦୋକାନଠାରୁ ଅନ୍ୟ ଖାଦ୍ୟ ବ୍ୟବସାୟୀଙ୍କ ଉପରେ ରହିଛି ନଜର ।ରାଜଧାନୀ ଭୁବନେଶ୍ୱରରେ ଅପମିଶ୍ରିତ ଛେନା ଓ ପନିର ବିକ୍ରି ରୋକିବାକୁ ଚଢ଼ାଉ ଜାରି ରହିଛି । କଳିଙ୍ଗ ଷ୍ଟାଡିୟମ ନିକଟରେ ଥିବା ବିଭିନ୍ନ ଦୋକାନ ଓ ରେଷ୍ଟୁରାଣ୍ଟରେ ଯାଞ୍ଚ କରୁଛି ବିଏମ୍ସି ଫୁଡ୍ ସେଫଟି ଟିମ୍ । ଏହି ଚଢ଼ାଉ ସମୟରେ ରେଷ୍ଟୁରାଣ୍ଟରେ ଥିବା ମିଠା ସାମଗ୍ରୀ, ପନିର ଓ ଛେନାର ମାନ ଯାଞ୍ଚ କରାଯାଉଛି । ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଠିକ୍ ଅଛି କି ନାହିଁ, ସେଗୁଡ଼ିକ ଅପମିଶ୍ରିତ କି ନୁହେଁ, ତାହା ଯାଞ୍ଚ କରୁଛନ୍ତି ଅଧିକାରୀ । କାରଣ ଗତକାଲି ରାଜଧାନୀ ଭୁବନେଶ୍ୱରରୁ ଅପମିଶ୍ରିତ ଛେନା ଜବତ ହୋଇଥିବା ସୂଚନା ମିଳିଥିଲା । ଏହାର ଠିକ୍ ପୂର୍ବରୁ ଗୁରୁବାର କଟକରୁ ମଧ୍ୟ ଅପମିଶ୍ରିତ ଛେନା ଜବତ ହୋଇଥିଲା । ଏହାପରେ ଖାଦ୍ୟ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ରାଜଧାନୀରେ ଯାଞ୍ଚକୁ ଜୋରଦାର କରାଯାଇଛି ।










