ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା କଲେ ଦାବି
ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ
ହଜାରରୁ ଉଦ୍ଧ୍ୱର୍ ଯୁବ ଓ ଛାତ୍ରଙ୍କ ସମାଗମ
ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି ଘଟଣା ନେଇ ସୁବର୍ଣ୍ଣପୁର ଠାରେ ଶିକ୍ଷା ବଞ୍ଚାଅ ଆନେ୍ଦାଳନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟବ୍ୟାପି ଶିକ୍ଷା ବଞ୍ଚାଅ ଆନେ୍ଦାଳନ ଅନୁଷ୍ଠିତ ହେଉଛି । ଏହିକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ହଜାର ହଜାର ଯୁବ ଓ ଛାତ୍ରଙ୍କ ସମାଗମରେ ସୋନପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ନିରଞ୍ଜନ ପୂଜାରୀ ଓ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଉପସ୍ଥିତ ଥିଲେ ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି ରହିଛି । କିନ୍ତୁ ବିଜେପି ନିଜ ଦୋଷକୁ ସ୍ୱୀକାର କରି ତ୍ରୁଟି ପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରିବାରେ ନାରାଜ ରହିଛି । ଯାହାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯାଉଛି । ପାଠ୍ୟ ପୁସ୍ତକ ପ୍ରକାଶ ଆଳରେ ୩୮୦ କୋଟି ଟଙ୍କା ମୂଲ୍ୟର ପ୍ରିଣ୍ଟିଂରେ ଦୁର୍ନୀତି ହୋଇଛି । ଉକ୍ତ ଦୁର୍ନୀତି ନେଇ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ନେଇ ବିଜେଡି ପକ୍ଷରୁ ଦାବି କରାଯାଇଛି । ତଦନ୍ତ ଜରିଆରେ ସତ୍ୟ ସର୍ବସମ୍ମୁଖକୁ ଆସିଲେ ଦୋଷୀ ବ୍ୟକ୍ତି, ଅଧିକାରୀ ଓ ଏଜେନ୍ସି ଉପରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ବିଜେଡି ଦାବି କରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଏହି ତ୍ରୁଟି ପୂର୍ଣ୍ଣ ପୁସ୍ତକ ପଢ଼ି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନଷ୍ଟ ହେବ । କିନ୍ତୁ ବିଜେପି ସରକାର ଏଥିପ୍ରତି ଯତ୍ନଶୀଳ ନହୋଇ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ତ୍ରୁଟି ପୂର୍ଣ୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ନିନ୍ଦିତ ହେଉଛି । ନୂତନ ଓଡ଼ିଆ ପାଠ୍ୟପୁସ୍ତକ ତ୍ରୁଟି କେବଳ ପ୍ରଶାସନିକ ଅବହେଳା ନୁହେଁ ବରଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ ସିଧା ଆକ୍ରମଣ । ଏହିପରି ଗମ୍ଭୀର ପ୍ରସଙ୍ଗ ସତ୍ତ୍ୱେ ବିଜେପି ସରକାର ଚୁପ ବସିଛନ୍ତି । ଏହାର ପ୍ରତିବାଦରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିରାଟ ପ୍ରତିବାଦ ପ୍ରଦର୍ଶନ ହୋଇଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶ ପୁତ୍ତଳିକା ଦାହ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ ।
ସାଧାରଣ ସଭାରେ ଉପସ୍ଥିତି ନେତୃତ୍ୱ ମାନେ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ । ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଓ ତଦନ୍ତ ନେଇ ଦାବି କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତୃବୃନ୍ଦ, ଯୁବ, ଛାତ୍ର ଓ ମହିଳା ନେତୃତ୍ୱଙ୍କ ସକ୍ରିୟ ଯୋଗଦାନରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତର ସୁରକ୍ଷା ପାଇଁ ଦୃଢ଼ ସ୍ୱର ଉପସ୍ଥାପନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସରୋଜ କମ୍ପ, ଅଶୋକ ନନ୍ଦ, ନାରାୟଣ ଲୁହା, ଅଭିମନୁ୍ୟ କୁଶଳ, ଅଭିଷେକ ଶର୍ମା, ଶାନ୍ତି ଲୁହା, ପ୍ରହଲ୍ଲାଦ ନାଏକ, ସୁବାସ ଭୋଇ, ତମସୀ ତାମସ୍ମିକା ସାହୁ, ପଦ୍ମିନୀ ବଘାର, ରାଜେନ୍ଦ୍ର ହୋତା, ଶାଶ୍ୱତ କୁମାର ମିଶ୍ର, ଅମୟ ରଞ୍ଜନ ଦାସ, ସୁରୁ ନାରାୟଣ ମହାକୁର, ଝସକେତନ ବଘାର, ଶଙ୍କର ପ୍ରସାଦ ସା, ସୋମନାଥ ମିଶ୍ର ପ୍ରମୁଖଙ୍କ ସମେତ ହଜାର ହଜାର ଯୁବ ଓ ଛାତ୍ର ଯୋଗ ଦେଇଥିଲେ ।










