ନୂଆଦିଲ୍ଲୀ : ପଶ୍ଚିମବଙ୍ଗରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କୋଲକାତାର ବ୍ୟସ୍ତବହୁଳ ଏବଂ ଘନ ଜନବସତି ଅଞ୍ଚଳ ନ୍ୟୁ ମାର୍କେଟରେ ଅବସ୍ଥିତ ଫ୍ରି ସ୍କୁଲ ଷ୍ଟ୍ରିଟ ନିକଟରେ ଥିବା ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ନଅ ଜଣ ବାଂଲାଦେଶୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେମାନେ ଚିକିତ୍ସା ପାଇଁ କୋଲକାତା ଆସିଥିଲେ। ଏହି ଘଟଣାରେ ଛଅ ଜଣ ଆହତ ହୋଇଛନ୍ତି। ଚିକିତ୍ସା ଲାଗି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅନେକ ଦମକଳ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି।
ପଶ୍ଚିମବଙ୍ଗ ଅଗ୍ନିଶମ ବିଭାଗର ମୁଖ୍ୟାଳୟ ନିକଟରେ ଅଗ୍ନକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ, ଚାରୋଟି ଦମକଳ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏକ ବିପର୍ଯ୍ୟୟ ପରିଚାଳନା ଦଳ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲା। ହୋଟେଲଟି ଏକ ସଂକୀର୍ଣ୍ଣ ଅଞ୍ଚଳରେ ଥିବାରୁ ଅଗ୍ନିଶମ ଗାଡ଼ି ପହଞ୍ଚିବାରେ ଅସୁବିଧା ହୋଇଥିଲା। ଘନ କଳା ଧୂଆଁ ଯୋଗୁଁ ଅଗ୍ନିଶମ କର୍ମଚାରୀମାନେ ସିଡ଼ି ଚଢ଼ିବାରେ କଷ୍ଟକର ହୋଇପଡ଼ିଥିଲା।
ଭୋର ପ୍ରାୟ ୩ଟା ସମୟରେ ହୋଟେଲରେ ନିଆଁ ଲାଗିଥିଲା। ହୋଟେଲରେ ଲୋକେ ଗଭୀର ନିଦରେ ଶୋଇଥିଲେ, ଯାହା ଫଳରେ ଅନେକ ଲୋକ କୋଠା ଭିତରେ ଫସି ରହିଥିଲେ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଅଗ୍ନିକାଣ୍ଡଟି ଏୟାର-କଣ୍ଡିସନରରେ ବିସ୍ଫୋରଣ ଯୋଗୁଁ ହୋଇଥାଇପାରେ, ଯଦିଓ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଅଗ୍ନିଶମ ବିଭାଗ ଅନୁଯାୟୀ, ମୃତକଙ୍କ ମଧ୍ୟରୁ ଅଧିକାଂଶ ବାଂଲାଦେଶ, ମେଘାଳୟ ଏବଂ ଆଲିପୁରଦ୍ବାରରୁ ଚିକିତ୍ସା ପାଇଁ କୋଲକାତା ଆସିଥିଲେ। ପୁଲିସ କହିଛି ଯେ ହୋଟେଲରୁ ୨୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ କୋଲକାତାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।










