ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଗତକାଲିର ବନ୍ୟାଞ୍ଚଳ ଗସ୍ତ ଲୋକଙ୍କ ସୁବିଧା ପାଇଁ କମ୍, ନିଜ ପ୍ରଚାର ପାଇଁ ବେଶୀ ବୋଲି ବିଜୁ ଜନତା ଦଳ କହିଛି । ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବାରେ ଓ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କ୍ଷେତ୍ରରେ ବିଫଳ ହେବା ପରେ କେବଳ ନିଜ ପ୍ରଚାର ଲକ୍ଷ୍ୟରେ ବନ୍ୟାଞ୍ଚଳକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ବନ୍ୟା ପ୍ରଭାବିତ ଲୋକଙ୍କ କଟା ଘାରେ ଚୂନ ସଦୃଶ୍ୟ ହୋଇଛି ବୋଲି ବିଜେଡି କହିଛି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନରେ ରାଜ୍ୟ ସରକାର ବିଫଳ ହୋଇଥିବା ବେଳେ, ରାଜନୀତି ଉଦେ୍ଦଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ । ଯେତେବେଳେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବନ୍ୟା ଜଳ ପଶିଯିବାରୁ ଲୋକେ ହନ୍ତସନ୍ତ ହେଉଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଭୋଜିଭାତରେ ମାତିଥଲେ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ନିକଟରେ ଶୁଖିଲା ଖାଦ୍ୟ ବା ରନ୍ଧା ଖାଦ୍ୟ ପହଞ୍ଚିପାରି ନଥିଲା । ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ନିହାତି ଆବଶ୍ୟକ ପଲିଥିନ ଖଣ୍ଡେ ମଧ୍ୟ ଠିକ୍ ଭାବେ ପହଞ୍ଚିପାରି ନଥିଲା । ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲୋକଙ୍କ ସୁବିଧା ପାଇଁ କମ୍ ନିଜ ରାଜନୀତି ପାଇଁ ଅଧିକ ଥିଲା ବୋଲି ସ୍ପଷ୍ଟ ହୋଇଛି । ଯାଜପୁର ଜିଲ୍ଲା ଗସ୍ତ ସମୟରେ ବିଜେଡି ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଶ୍ରୀମତୀ ସୁଜାତା ସାହୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅପେକ୍ଷାରେ ଥିଲେ ସୁଦ୍ଧା ସେମାନଙ୍କୁ ଛାଡି ବିଜେପି ନେତାଙ୍କୁ ଧରି ସେହି ଅଞ୍ଚଳ ଗସ୍ତ କରିବା କେବଳ ରାଜନୀତି ଛଡା ଆଉ କିଛି ନୁହେଁ ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତରେ, ବନ୍ୟା ପ୍ରଭାବିତ ଲୋକଙ୍କ ସହିତ କମ୍ ସମୟ ଦେଇଥିବା ବେଳେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଧିକ ସମୟ ଯାଇଥିଲା । ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ମୋଟରସାଇକେଲ ଚଳାଉଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ପଛରେ ବସି ବନ୍ୟାଞ୍ଚଳ ପରିଦର୍ଶନରେ ଯାଉଥିବା ଦୃଶ୍ୟ କେବଳ ସାମାଜିକ ଗଣମାଧ୍ୟମରେ ରିଲ ପାଇଁ ଉଦ୍ଦିଷ୍ଟ ଥିଲା । ବିନା ହେଲମେଟରେ ମୋଟରସାଇକେଲରେ ଯିବା ଟ୍ରାଫିକ ନିୟମକୁ ଉଲ୍ଲଙ୍ଘନ କରିଛି । ଖୋଲାଖୋଲି ହୋଇଥିବା ଏହି ନିୟମ ଉଲ୍ଲଙ୍ଘନ ପାଇଁ ରାଜ୍ୟର ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଥିଲେ । ବନ୍ୟା ଅଞ୍ଚଳ ଗସ୍ତ କରିବା ସମୟରେ ବନ୍ୟା ପ୍ରଭାବିତଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୌଣସି ଘୋଷଣା ହୋଇ ନଥିଲା । ବନ୍ୟା ଅଞ୍ଚଳରେ ଚାଷ ଉଜୁଡି ଯାଇଥିବାରୁ ରାଜ୍ୟର ଚାଷୀ ମାନେ ତାଙ୍କ ଋଣ ଛାଡ଼ ପାଇଁ ଆଶା କରୁଛନ୍ତି । କିନ୍ତୁ ସେପରି କିଛି ହୋଇନଥିଲା । ସମୁଦାୟ ଭାବରେ ଦେଖିବାକୁ ଗଲେ ଗତକାଲିର ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ଅନ୍ତସାର ଶୂନ୍ୟ ଥିଲା ।










