ଯାଜପୁର: ବଢୁଛି ବୈତରଣୀ ନଦୀର ଜଳସ୍ତର। ବୈତରଣୀରେ ଚତୁର୍ଥ ଥର ବନ୍ୟା ଆସିଛି। ଆଖୁଆପଦା ଠାରେ ବିପଦ ସଂକେତ ଅତିକ୍ରମ କଲା ବନ୍ୟା ଜଳ। ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଏବେ ୧୮.୩୫ ମିଟର ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି। ବୈତରଣୀରେ ବନ୍ୟା ଯୋଗୁଁ ଏବେ ଧାମନଗର ବ୍ଲକର ୧୨ ଓ ତିହିଡି ବ୍ଲକର ୨ଟି ପଞ୍ଚାୟତ ଜଳାର୍ଣ୍ଣବ ରହିଛି। ଭଦ୍ରକ -ଆରଡି, ଧୂଷୁରୀ -ହସନାବାଦ, ପତ୍ରି -ଫତେପୁର, ଗୁଡ଼ୁ ପୋଖରୀ -ଭଉରିଆ ବାଙ୍କ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଛି। ଏହାସହ ଧାମନଗର ବ୍ଲକର ବିଭିନ୍ନ ପଂଚାୟତରେ ଲୋକଙ୍କ ଘରେ ପଶିଛି ବନ୍ୟାଜଳ। ବୈତରଣୀରେ ବନ୍ୟା ଯୋଗୁ ଯାଜପୁର ଓ ଦଶରଥପୁର ବ୍ଲକ ବିଶେଷ ପ୍ରଭାବିତ। ଦଶରଥପୁର ଡୋଭାବିଲ ପାଟଣା ଠାରେ ପୂର୍ବ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ଉପରଦେଇ ବନ୍ୟାପାଣି ଗାଁକୁ ପୁଣିଥରେ ପ୍ରବେଶ କରିଛି । ବିଳମ୍ୱିତ ରାତିରେ ଦଶରଥପୁର ବ୍ଲକ କୁଆଁରପୁର ଠାରେ ବୈତରଣୀ ନଦୀର ୪୦ପ୍ରତିଶତ ବନ୍ଧ ଧସିଯାଇଛି । ପ୍ରଶାସନ ପକ୍ଷରୁ ଏହାର ମରାମତି କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି । ସେହିଭଳି ଜୟନ୍ତରା ପଂଚାୟତରେ ଘେରି ବନ୍ଧରେ ମଧ୍ୟ ଘାଇ ସୃଷ୍ଟି ହୋଇଛି। ଜଳସ୍ତର ବୃଦ୍ଧି ଯୋଗୁ ଗାଁ ଦାଣ୍ଡରେ ପୁଣି ବନ୍ୟା ପାଣି ଲହଡି ମାରୁଛି । ଅନେକ ପରିବାର ଏବେବି ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ଲୋକଙ୍କ ଚାଷଜମି ସମ୍ପୂର୍ଣ୍ଣ ଉଜୁଡି ଯାଇଛି।










