ଭୁବନେଶ୍ୱର: ଖୋର୍ଦ୍ଧା ବସଷ୍ଟାଣ୍ଡ ସ୍ଥାନ ଚୟନକୁ ନେଇ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ସୋନାଲି ସାହୁ କହିଲେ, ଖୋର୍ଦ୍ଧା ସହରର ବିକାଶ ପାଇଁ ଅଟଳ ବସଷ୍ଟାଣ୍ଡ ଏକ ଅତ୍ୟନ୍ତ ଆବଶ୍ୟକ ପ୍ରକଳ୍ପ। ଏହି ପ୍ରକଳ୍ପକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରୁଛି। କିନ୍ତୁ ଆମ ମତ ହେଉଛି, ଏହା ପ୍ରସ୍ତାବିତ ସ୍ଥାନରେ ନୁହେଁ, ବରଂ ଯେଉଁଠାରେ ଅଧିକ ପରିମାଣର ସରକାରୀ ଜମି ଉପଲବ୍ଧ ଅଛି ଏବଂ ଭବିଷ୍ୟତରେ ବିସ୍ତାରର ସୁବିଧା ରହିବ, ସେହି ସ୍ଥାନରେ ନିର୍ମାଣ କରାଯିବା ଉଚିତ। ବର୍ତ୍ତମାନର ଡିପିଆର ଓ ଲେଆଉଟ୍କୁ ପୁନଃ ସମୀକ୍ଷା କରାଯାଉ। ଯଦି ଆବଶ୍ୟକ ହୁଏ, ଡିପିଆରରେ ପରିବର୍ତ୍ତନ କରି ଅଧିକ ଜମି ଥିବା ସ୍ଥାନରେ ଏକ ଆଧୁନିକ, ସୁବିଧାସମ୍ପନ୍ନ ଏବଂ ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବସଷ୍ଟାଣ୍ଡ ନିର୍ମାଣ କରାଯାଉ। ସମ୍ପ୍ରତି ଟେଣ୍ଡର ବାତିଲ ହୋଇଛି। ଏହି ସୁଯୋଗରେ ସରକାର ଜନମତ, ବିଶେଷଜ୍ଞଙ୍କ ମତାମତ ଏବଂ ଯାତାୟାତର ଭବିଷ୍ୟତ ଚାହିଦାକୁ ବିଚାର କରି ଏକ ଉପଯୁକ୍ତ ସ୍ଥାନ ଚୟନ କରନ୍ତୁ। କଂଗ୍ରେସର ବିରୋଧ ବସଷ୍ଟାଣ୍ଡ ନିର୍ମାଣକୁ ନୁହେଁ, ବରଂ ଏହାର ସ୍ଥାନ ଚୟନକୁ ନେଇ ଅଛି l ଆମର ରାଜ୍ୟ ସରକାରଙ୍କୁ ଅନୁରୋଧ, ଖୋର୍ଦ୍ଧାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରକଳ୍ପର ଡିପିଆରକୁ ସଂଶୋଧନ କରନ୍ତୁ, ଅଧିକ ଜମିଥିବା ବିକଳ୍ପ ସ୍ଥାନ ବାଛନ୍ତୁ ଏବଂ ଶୀଘ୍ର ନୂଆ ଟେଣ୍ଡର ଆହ୍ୱାନ କରି ଏହି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରନ୍ତୁ। ଏହା ଖୋର୍ଦ୍ଧାର ବିକାଶ ଓ ଜନସାଧାରଣଙ୍କ ସୁବିଧା ପାଇଁ ଅତ୍ୟନ୍ତ ଜରୁରୀ ହେବ ବୋଲି ଶ୍ରୀମତୀ ସାହୁ ଦାବୀ କରିଥିଲେ l ଏହି ସମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପତ୍ର ମନୋରଞ୍ଜନ ଦାସ ମଧ୍ୟ ଉପସ୍ଥିତ ଥିଲେ ।










