30.1 C
Bhubaneswar
Wednesday, August 12, 2026
Homeଓଡିଶାବିଶ୍ୱ ହାତୀ ଦିବସ ପାଳିତ: ହାତୀ ସଂରକ୍ଷଣ ପାଇଁ ବିଜ୍ଞାନ, ପ୍ରଯୁକ୍ତି ଓ ସମୁଦାୟ ସହଭାଗିତା...

ବିଶ୍ୱ ହାତୀ ଦିବସ ପାଳିତ: ହାତୀ ସଂରକ୍ଷଣ ପାଇଁ ବିଜ୍ଞାନ, ପ୍ରଯୁକ୍ତି ଓ ସମୁଦାୟ ସହଭାଗିତା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ବିଶ୍ୱ ହାତୀ ଦିବସ ଅବସରରେ ଓଡ଼ିଶା ସରକାରଙ୍କ ବନ୍ୟପ୍ରାଣୀ ସଂଗଠନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ୍ ଟ୍ରଷ୍ଟ (ଏସ୍‌.ଇ.ଏଫ୍‌.ଟି.)ର ମିଳିତ ସହଯୋଗରେ ଆଜି ଭୁବନେଶ୍ୱରସ୍ଥିତ ରିଜିଓନାଲ୍ ମ୍ୟୁଜିୟମ୍ ଅଫ୍ ନ୍ୟାଚୁରାଲ୍ ହିଷ୍ଟ୍ରିର ସଭାଗୃହରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବିଜ୍ଞାନଭିତ୍ତିକ, ପ୍ରଯୁକ୍ତି ସମର୍ଥିତ ଏବଂ ସମୁଦାୟକେନ୍ଦ୍ରିକ ଆଭିମୁଖ୍ୟ ମାଧ୍ୟମରେ ହାତୀ ସଂରକ୍ଷଣକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ହାତୀ ଆବାସସ୍ଥଳୀର ସୁରକ୍ଷା, ମାନବ–ହାତୀ ସଂଘର୍ଷ ହ୍ରାସ, ବିଦ୍ୟୁତ୍ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି, ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ସମୁଦାୟର ଅଧିକ ଅଂଶଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମଣିଷ ଓ ହାତୀ ଉଭୟଙ୍କ ସୁରକ୍ଷା ତଥା ସ୍ଥାୟୀ ମାନବ–ହାତୀ ସହାବସ୍ଥାନ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସରକାରୀ ବିଭାଗ, ନିର୍ବାଚିତ ପ୍ରତିନିଧି, ଅଗ୍ରଭାଗରେ କାର୍ଯ୍ୟରତ କର୍ମଚାରୀ ଓ ସ୍ଥାନୀୟ ସମୁଦାୟଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।

ଗଜସାଥୀମାନଙ୍କ ପାଇଁ ଦୁର୍ଘଟଣାଜନିତ ମୃତ୍ୟୁ ବୀମା ସୁବିଧା ପ୍ରଦାନ ନିମନ୍ତେ ସରକାର ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ ବିଚାର କରୁଥିବା ବିଷୟ ମଧ୍ୟ ମନ୍ତ୍ରୀ ଘୋଷଣା କରିଥିଲେ। ଗଜସାଥୀମାନେ ଓ ସେମାନଙ୍କ ପରିବାରର କଲ୍ୟାଣ ଓ ସୁରକ୍ଷା ପ୍ରତି ସରକାର ପ୍ରତିବଦ୍ଧ ଥିବା ଦର୍ଶାଇ ସେ କହିଥିଲେ ଯେ, ଅତ୍ୟନ୍ତ ସ୍ୱଳ୍ପ ବାର୍ଷିକ ପ୍ରିମିୟମରେ ଦୁର୍ଘଟଣାଜନିତ ମୃତ୍ୟୁ, ଅକ୍ଷମତା, ହସ୍ପିଟାଲରେ ଚିକିତ୍ସା, ଶିଶୁମାନଙ୍କ ଶିକ୍ଷା, ହସ୍ପିଟାଲ ଦୈନିକ ଭତ୍ତା ଓ ପରିବାର ପରିବହନ ଭଳି ବିଭିନ୍ନ ସୁବିଧା ପ୍ରଦାନ କରିବା ଲକ୍ଷ୍ୟରେ ଏହି ବୀମା ବ୍ୟବସ୍ଥା ଏକ ଉପଯୋଗୀ ସାମାଜିକ ସୁରକ୍ଷା କବଚ ଭାବେ କାର୍ଯ୍ୟ କରିବ।

କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ ଯୋଗଦେଇଥିଲେ। ଏଥିସହିତ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ଅଗସ୍ତି ବେହେରା (ଛେଣ୍ଡିପଦା), ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ (ଅନୁଗୋଳ), ଶ୍ରୀ ଅଶୋକ ମହାନ୍ତି (ପାଳଲହଡ଼ା), ଶ୍ରୀ ନଳିନୀକାନ୍ତ ପ୍ରଧାନ (ଆଠମଲ୍ଲିକ), ଶ୍ରୀ ଶତ୍ରୁଘ୍ନ ଜେନା (କାମାକ୍ଷାନଗର) ଏବଂ ଶ୍ରୀ ବିଭୂତି ଭୂଷଣ ପ୍ରଧାନ (ପର୍ଜଙ୍ଗ) ଯୋଗଦେଇ ହାତୀ ସଂରକ୍ଷଣ ଓ ମାନବ–ହାତୀ ସହାବସ୍ଥାନ ସମ୍ପର୍କରେ ନିଜ ମତାମତ ପ୍ରକାଶ କରିଥିଲେ।

ମାନ୍ୟବର ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ହାତୀ ସମ୍ପର୍କିତ ସମସ୍ୟାଗୁଡ଼ିକ ଉପରେ ଆଲୋକପାତ କରିବା ସହ ମାନବ–ହାତୀ ସଂଘର୍ଷ ହ୍ରାସ ପାଇଁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ। ନିଜ ନିଜ ଅଞ୍ଚଳରେ ମାନବ–ହାତୀ ସଂଘର୍ଷ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ବନ୍ୟପ୍ରାଣୀ ଶାଖା ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ। ଭବିଷ୍ୟତରେ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବା ସହ ସ୍ଥାନୀୟ ଜନସମୁଦାୟର କଲ୍ୟାଣ ପାଇଁ ସମସ୍ତ ପ୍ରକାରର ସହଯୋଗ ଓ ସମର୍ଥନ ଯୋଗାଇଦେବାକୁ ସେମାନେ ଆଶ୍ୱାସନ ଦେଇଥିଲେ।

ଏହି ଅବସରରେ ଅନୁକମ୍ପା ଯୋଜନା ଅଧୀନରେ ହାତୀ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଘର ନଷ୍ଟ ହୋଇଥିବା ହିତାଧିକାରୀମାନଙ୍କୁ PMAY ସମତୁଲ୍ୟ ସହାୟତା ପ୍ରଦାନ କରାଯାଇଥିଲା। ମାନବ–ହାତୀ ସଂଘର୍ଷରେ ପ୍ରଭାବିତ ପରିବାରମାନଙ୍କ ପ୍ରତି ସରକାରଙ୍କ ସମ୍ବେଦନଶୀଳ ଓ ସହାୟତାମୂଳକ ଦୃଷ୍ଟିକୋଣର ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ।

କାର୍ଯ୍ୟକ୍ରମରେ ଏସ୍‌.ଇ.ଏଫ୍‌.ଟିର ପ୍ରତିଷ୍ଠାତା, ପୂର୍ବତନ ଲୋକାୟୁକ୍ତ ସଦସ୍ୟ ତଥା ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଡ. ଦେବବ୍ରତ ସ୍ୱାଇଁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଡ. କେ. ମୁରୁଗେସନ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ପ୍ରେମ କୁମାର ଝା ଯୋଗଦେଇ ହାତୀ ସଂରକ୍ଷଣ ଓ ମାନବ–ହାତୀ ସହାବସ୍ଥାନ ସମ୍ପର୍କରେ ନିଜ ଅଭିମତ ରଖିଥିଲେ।

ଶ୍ରୀ ପ୍ରେମ କୁମାର ଝା ଓଡ଼ିଶାରେ ହାତୀ ସଂରକ୍ଷଣ ସମ୍ପର୍କରେ ଏକ ବୈଷୟିକ ଉପସ୍ଥାପନା ପ୍ରଦାନ କରିଥିଲେ। ନିଜ ଉପସ୍ଥାପନାରେ ସେ ବିଜ୍ଞାନଭିତ୍ତିକ, ପ୍ରଯୁକ୍ତିଚାଳିତ ଏବଂ ସମୁଦାୟ ସମର୍ଥିତ ହାତୀ ସଂରକ୍ଷଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ସେ ରାଜ୍ୟର ୨,୧୦୩ଟି ହାତୀ, ପ୍ରଯୁକ୍ତି ସମର୍ଥିତ ସଂଘର୍ଷ ହ୍ରାସ ପଦକ୍ଷେପ, ଆବାସସ୍ଥଳୀ ପୁନରୁଦ୍ଧାର, ସମୁଦାୟର ଅଂଶଗ୍ରହଣ ଏବଂ ସୁଦୃଢ଼ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ କରିଥିଲେ। ହାତୀ ଆବାସସ୍ଥଳୀର ସୁରକ୍ଷା, ମାନବ–ହାତୀ ସଂଘର୍ଷ ହ୍ରାସ ଏବଂ ଦୀର୍ଘମିଆଦୀ ସହାବସ୍ଥାନ ସୁନିଶ୍ଚିତ କରିବା ଉପରେ ନିରନ୍ତର ଗୁରୁତ୍ୱ ଦିଆଯାଉଥିବା ସେ ପ୍ରକାଶ କରିଥିଲେ।

ଏହି ଅବସରରେ ହାତୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବା ସହ ବିଭିନ୍ନ ସଚେତନତାମୂଳକ ପ୍ରକାଶନ ଓ ସୂଚନା ସାମଗ୍ରୀ ଉନ୍ମୋଚନ କରାଯାଇଥିଲା। ଅପରାହ୍ନରେ କେନ୍ଦୁଝରର ରାଧାକୃଷ୍ଣ ସଙ୍କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ହାତୀକେନ୍ଦ୍ରିକ ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା। ଏହାପରେ ଅନୁଗୋଳ ଓ କେନ୍ଦୁଝର ଡିଏଫ୍‌ଓଙ୍କ ପକ୍ଷରୁ ପ୍ରସ୍ତୁତ AI ଭିଡିଓ, ସଙ୍ଗୀତ ଭିଡିଓ ଏବଂ ଓଡ଼ିଶାରେ ହାତୀ ସଂରକ୍ଷଣ ଉପରେ ଏକ ଓଡ଼ିଆ ଭିଡିଓ ପ୍ରଦର୍ଶିତ ହୋଇଥିଲା।

କାର୍ଯ୍ୟକ୍ରମରେ ସ୍ଥାନୀୟ ସମୁଦାୟର ସଦସ୍ୟ, ମହିଳା ସଦସ୍ୟ, ଗଜସାଥୀ, ଇକୋ-ଡେଭେଲପମେଣ୍ଟ କମିଟି (ଇଡିସି) ଏବଂ ବନ ସୁରକ୍ଷା ସମିତି ( ଭି.ଏସ୍‌.ଏସ୍ )ର ସଦସ୍ୟ, ଛାତ୍ରଛାତ୍ରୀ, ଗବେଷକ, ବୈଜ୍ଞାନିକ, ବନ୍ୟପ୍ରାଣୀପ୍ରେମୀ, ଅଗ୍ରଭାଗରେ କାର୍ଯ୍ୟରତ ବନ କର୍ମଚାରୀ, ଅଣ-ସରକାରୀ ସଂଗଠନ (ଏନ୍‌ଜିଓ)ର ପ୍ରତିନିଧି ଏବଂ ଅନ୍ୟାନ୍ୟ ସଂରକ୍ଷଣ ସହଯୋଗୀମାନେ ଯୋଗଦେଇଥିଲେ।

ବିଶ୍ୱ ହାତୀ ଦିବସର ରାଜ୍ୟସ୍ତରୀୟ ସମାରୋହ ହାତୀ ସଂରକ୍ଷଣ ସମ୍ପର୍କରେ ଜନସଚେତନତା ବୃଦ୍ଧି, ମାନବ–ହାତୀ ସହାବସ୍ଥାନକୁ ସୁଦୃଢ଼ କରିବା ଏବଂ ହାତୀ ଓ ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା ପାଇଁ ସାମୂହିକ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking