ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ନୂଆଦିଲ୍ଲୀ (ସିବିଏସଇ) ଦ୍ୱାରା ଅନୁବନ୍ଧିତ ଓଡ଼ିଶା ସରକାରଙ୍କ ଇଂରାଜୀ ମାଧ୍ୟମିକ ଆଇକନିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅନ୍ଧାରୁଆ, ଭୁବନେଶ୍ୱରର ଏକାଦଶ ଶ୍ରେଣୀର ୫୦୦ଟି ସିଟ୍ରେ ନାମଲେଖା ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି । ଅନ୍ଧାରୁଆ ଓ ଖୋର୍ଦ୍ଧା ଜିଲ୍ଲାର ଶିଆଳିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସ୍ଥାପିତ ଦୁଇଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିଥିବା ରାଜ୍ୟର ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୫୦୦ରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ଉତ୍ସାହର ସହ ପରୀକ୍ଷା ଦେଇଛନ୍ତି ।
ଆଧୁନିକ ଭିତ୍ତିଭୂମି, କେନ୍ଦ୍ରୀୟ ବାତାନୁକୂଳିତ ଶ୍ରେଣୀଗୃହ, ଦକ୍ଷ ଶିକ୍ଷକମଣ୍ଡଳୀ, ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ବିଶେଷ କୋଚିଂ, ସୁବ୍ୟବସ୍ଥିତ ଛାତ୍ରାବାସ ଓ ଉଚ୍ଚମାନର ଖାଦ୍ୟ ଆଇକନିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ମେଧାବୀ ଛାତ୍ରଛାତ୍ରୀଙ୍କ ପସନ୍ଦର ଶିକ୍ଷାକେନ୍ଦ୍ରରେ ପରିଣତ କରିପାରିଛି । ଶିକ୍ଷା ସହିତ ଖାଦ୍ୟ, ୟୁନିଫର୍ମ ଓ ଆବାସ ସମେତ ସମସ୍ତ ସୁବିଧା ନିଃଶୁଳ୍କ ମିଳୁଥିବାରୁ ମେଧାବୀ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଉଚ୍ଚମାନର ଶିକ୍ଷାର ସୁଯୋଗ ପାଉଛନ୍ତି ।
ଏହାର ପ୍ରଭାବ ବିଦ୍ୟାର୍ଥୀଙ୍କ ସଫଳତାରେ ମଧ୍ୟ ପ୍ରତିଫଳିତ ହେଉଛି । ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ ସହ ଚଳିତ ବର୍ଷ ୪୦ରୁ ଅଧିକ ବିଦ୍ୟାର୍ଥୀ ସରକାରୀ ମେଡିକାଲ କଲେଜରେ ନାମଲେଖା ପାଇଁ ଯୋଗ୍ୟ ହୋଇଥିବା ବେଳେ ୧୪୪ ଜଣ ଜେଇଇ ମେନ୍ ଓ ୨୨ ଜଣ ଜେଇଇ ଆଡଭାନ୍ସ ପରୀକ୍ଷାରେ ରେ ସଫଳତା ହାସଲ କରିଛନ୍ତି ।










