ପୁରୀ: ଦୀର୍ଘ ସମୟର ଖୋଜାଖୋଜି ପରେ ଚିଲିକା ମଝିରୁ ନିଖୋଜ ନାବାଳକ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ମତ୍ସ୍ୟଜୀବୀ, କୃଷ୍ଣପ୍ରସାଦ ଥାନା ପୁଲିସ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ଚିଲିକା ଭିତରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ପ୍ରାୟ ୪୦ ଜଣ ଦୁର୍ବୃତ୍ତ ଅନ୍ୟ ଏକ ଡଙ୍ଗାରେ ଆସି ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିଲେ। ନିଜ ଜୀବନ ବଞ୍ଚାଇବା ପାଇଁ ସେମାନେ ପହଁରି କୂଳକୁ ଆସିବାରେ ସଫଳ ହୋଇଥିଲେ। ତେବେ ଏହି ସମୟରେ ଜଣେ ନାବାଳକ ମତ୍ସ୍ୟଜୀବୀ ଚିଲିକାର ଗଭୀର ପାଣିରେ ପଡ଼ିଯାଇଥିଲେ। ତାଙ୍କର କୌଣସି ପତ୍ତା ମିଳିନଥିବାରୁ ଗୁରୁତର ଆହତ ବ୍ୟକ୍ତିଙ୍କଠାରୁ ସୂଚନା ପାଇବା ପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା।
ଦୀର୍ଘ ସମୟ ଧରି ଚିଲିକା ମଝିରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ପ୍ରଥମେ ମୃତଦେହର ସନ୍ଧାନ ମିଳିନଥିଲା। ଶେଷରେ ମୃତଦେହଟି ଚିଲିକା ପାଣିରେ ଭାସୁଥିବା ଦେଖିବାକୁ ମିଳିବା ପରେ ତାହାକୁ ଚିହ୍ନଟ କରାଯାଇ ଉଦ୍ଧାର କରିବା ସମ୍ଭବ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁରୀ ସଦର ଏସ୍ଡିପିଓ ମାନସ ବାରିକ, କୃଷ୍ଣପ୍ରସାଦ ଥାନା ପୁଲିସ ଓ ମାଲୁଦ ଅଗ୍ନିଶମ ବିଭାଗର ଟିମ୍ ଚିଲିକା ମଝିରେ ପହଞ୍ଚିଥିଲେ। ସେମାନଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକ ସହ ଉତ୍ତେଜନା ପ୍ରକାଶ ପାଇଛି। ଆକ୍ରମଣରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କ ବିରୋଧରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।










