ନୂଆଦିଲ୍ଲୀ: ଓଡିଶା ଡିଜି ପୋଲିସ ନିଯୁକ୍ତି ସମ୍ପର୍କିତ ଦାୟର ଏକ ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଏ ସମ୍ପର୍କରେ ଦାୟର ପିଆଇଏଲରେ ଅଭିଯୋଗ କରାଯାଇଛି ଯେ, ଓଡିଶା ସରକାର ଡିଜିପି ନିଯୁକ୍ତି ସମ୍ପର୍କରେ ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ଏଡାଇବାକୁ ଚେଷ୍ଟା କରୁଛନ୍ତି । ଏବଂ ସେଥିପାଇଁ ଚୟନ ପ୍ୟାନେଲରେ ଅଯୋଗ୍ୟ ଅଧିକାରୀଙ୍କୁ ସାମିଲ କରୁଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି. ମୋହନାଙ୍କ ବେଞ୍ଚ ଏହି ମାମଲାକୁ ଆସନ୍ତାକାଲି ତାଲିକାଭୁକ୍ତ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ସର୍ବୋଚ୍ଚ କୋର୍ଟରେ ପକ୍ଷ ରଖିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ୟୁପିଏସସି ନିକଟକୁ ପଠାଯାଇଥିବା ଅଧ୍କାରୀଙ୍କ ପ୍ୟାନେଲକୁ ପ୍ରତ୍ୟାହର କରି ଏବଂ ଏକ ସାନି ତାଲିକା ପ୍ରସ୍ତୁତ କରୁଛନ୍ତି । ସେ ।ହୁରି ଯୁକ୍ତି ବାଢିଛନ୍ତି ଯେ, ରାଜ୍ୟ ସରକାର ୨ ଜଣ ଏଡିଜି ରାଙ୍କର ପୋଲିସ ଅଧିକାରୀଙ୍କ ପଦୋନ୍ନତି ନେଇ ତାଙ୍କ ନାଁ ୟୁପିଏସସି ନିକଟକୁ ପଠାଯିବାକୁ ଥିବା ନୂଆ ପ୍ୟାନେଲରେ ଅନ୍ତରଭୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସେପଟେ ପ୍ରଧାନ ବିଚାରପତି କହିଛନ୍ତି, ୟୁପିଏସସି ଭଲଭାବେ ଜାଣେ କିଏ ଯୋଗ୍ୟ, ଏବଂ କାହାର ନାଁ ବିଚାର କରାଯିବାର ଆବଶ୍ୟକତା । ତେବେ ୟୁପିଏସସି ଆମ ନିର୍ଦ୍ଦେଶରେ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ । ସେପଟେ ଆସନ୍ତା ୧୩ରେ ପୁଣି ଥରେ ବସିବ ୟୁପିଏସସି ବୈଠକ ।










