ବଲାଙ୍ଗିର:ବଲାଙ୍ଗିର ଜିଲ୍ଲା ବେଲପଡ଼ା ସହରରେ ଏକ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ହିଂସାତ୍ମକ ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ବେଲପଡ଼ା ଅଞ୍ଚଳର ସସ୍ମିତା ମେହେରଙ୍କ ବିବାହ ମୁରିବାହାଲ ଥାନା ଅନ୍ତର୍ଗତ ଅନ୍ତର୍ଲା ଗ୍ରାମର ଗିରିଧାରୀ ମେହେରଙ୍କ ସହ ହୋଇଥିଲା। ଗିରିଧାରୀ ଏକ କୁକୁଡ଼ା ଫାର୍ମ ପରିଚାଳନା କରୁଥିବା ବେଳେ ସେହି ଫାର୍ମରେ ମୁନା ବେହେରା ସହଯୋଗ କରୁଥିଲେ। ଏହି ସମୟରେ ସସ୍ମିତା ଓ ମୁନାଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିବା ଅଭିଯୋଗ ରହିଛି। ପରବର୍ତ୍ତୀ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ସେମାନେ ଅଲଗା ରହୁଥିଲେ। ପୁଲିସ ସୂଚନା ଅନୁଯାୟୀ, ସମ୍ପ୍ରତି ସସ୍ମିତା ଓ ମୁନାଙ୍କ ମଧ୍ୟରେ ବିବାଦ ବଢ଼ିଥିଲା। କିଛିଦିନ ପୂର୍ବେ ଆକ୍ରମଣରେ ସସ୍ମିତା ଆହତ ହେବା ପରେ ସେ ନିଜ ନାବାଳିକା ଝିଅକୁ ନେଇ ବେଲପଡ଼ାକୁ ଚାଲି ଆସିଥିଲେ। ଗତ ଜୁନ୍ ୨୯ ତାରିଖରେ ମୁନା ବେହେରା ଓ ଅନ୍ୟ ତିନିଜଣ ବେଲପଡ଼ା ଆସି ସସ୍ମିତାଙ୍କୁ ନେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ସସ୍ମିତା ଲୁଚିଯିବା ପରେ ତାଙ୍କ ନାବାଳିକା ଝିଅକୁ ଅପହରଣ ଉଦ୍ୟମ ବେଳେ ଛୁରି ଆକ୍ରମଣରେ ସେ ଆହତ ହୋଇଥିଲେ।
ଗ୍ରାମବାସୀଙ୍କ ପ୍ରତିବାଦ ପରେ ଅଭିଯୁକ୍ତମାନେ ସେଠାରୁ ପଳାଇ ଯାଇଥିଲେ। ଏହି ଘଟଣାରେ ବେଲପଡ଼ା ଥାନାରେ ମାମଲା ରୁଜୁ ହୋଇଥିଲା ଏବଂ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ମୁନା ବେହେରା ଫେରାର ଥିଲେ।ପୁଲିସ କହିଛି, ଗୁରୁବାର ସକାଳେ ମୁନା ବେହେରା ବେଲପଡ଼ାରେ ପହଞ୍ଚି ସସ୍ମିତାଙ୍କ ଉପରେ ଛୁରିରେ ଆକ୍ରମଣ କରିଥିଲେ। ଏଥିରେ ସସ୍ମିତା ଗୁରୁତର ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ସମୟରେ ପାଲଟା ଆକ୍ରମଣରେ ମୁନା ବେହେରା ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ବେଲପଡ଼ା ଡାକ୍ତରଖାନା ଏବଂ ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୁଣ୍ଡରେ ଭାରୀ ବସ୍ତୁର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ଘଟଣାସ୍ଥଳରେ ବେଲପଡ଼ା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।










