ତେଜୁଛି କଟକ ସଦର ବିଧାୟକଙ୍କ ବିରୁଦ୍ଧରେ ଆନେ୍ଦାଳନ
ପଦକ୍ଷେପ ଗ୍ରହଣ କରିବାରେ ରାଜ୍ୟ ସରକାର ବିଫଳ
ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି
ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ ବିବାଦ ଜଟିଳ ରୂପ ଧାରଣ କରିଛି । ଏହି ବିବାଦ ଏବେ ଛାତ୍ରଙ୍କ ଆନେ୍ଦାଳନ ସମେତ ଶିକ୍ଷକ ମାନେ ଆନେ୍ଦାଳନ ଜାରି ରଖିଛନ୍ତି । ବିଶ୍ୱବିଦ୍ୟାଳୟ ଶିକ୍ଷକ ମାନେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଆନେ୍ଦାଳନ ଜାରି ରଖିଥିବା ବେଳେ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି । ଯାହାକୁ ନେଇ ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ରାଜ୍ୟ ସରକାରଙ୍କୁ ଉପରେ ବର୍ଷିଛନ୍ତି ।
ଡ. ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅସହାୟତା ସମସ୍ତଙ୍କୁ ଚକିତ କରିଛି । ଈଷ୍ଟ ହଷ୍ଟେଲରେ ବାରମ୍ବାର ବିଭିନ୍ନ ସମସ୍ୟା ହେଉଥିବା ବେଳେ ଏହାର ସମାଧାନ କରିବା ପ୍ରତିବଦଳରେ ଡେପୁଟି ୱାର୍ଡ଼ନ ରବିଉଲ ଅନସାରୀଙ୍କ କାର୍ଯ୍ୟକଳାପ ନେଇ ଛାତ୍ର ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାର ସମାଧାନ କରିବା ନେଇ ଆଲୋଚନା ବେଳେ ବିଧାୟକ ଶ୍ରୀ ସେଠୀ ପ୍ରବେଶ କରିଥିଲେ । ଇଷ୍ଟ ହଷ୍ଟେଲ ବିବାଦର ସମାଧାନ ପାଇଁ ବସିଥିବା ବୈଠକରେ ବିଧାୟକ ଶ୍ରୀ ସେଠୀ ଚିଫ୍ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ତେବେ ବିବାଦ ମୁଣ୍ଡ ଟେକିବା ପରେ ଛାତ୍ର ଓ ଶିକ୍ଷକ ମାନଙ୍କ ସହ ଆଲୋଚନା କରି ସମାଧାନ କରିବା ବଦଳରେ ବିଶ୍ୱବିଦ୍ୟାଳୟ କୂଳପତି ଚୁପ୍ ହୋଇ ବସିଛନ୍ତି । ସେ ଦିନ ଆଲୋଚନା ବେଳେ କଣ ଘଟଣା ଘଟିଲା ତାହାକୁ କୂଳପତି ସର୍ବସମ୍ମୁଖରେ କହିବାର ସାହାସ ନାହିଁ । କୂଳପତି ଚୁପ୍ ରହିବା ସମସ୍ତଙ୍କୁ ବିସ୍ମିତ କରିଛି । ବିଶ୍ୱବିଦ୍ୟାଳୟ କୂଳସଚିବ ମଧ୍ୟ ନିଜ ପଦବୀ ବଞ୍ଚାଇବା ପାଇଁ ଚୁପ୍ ହୋଇ ବସିଛନ୍ତି । ଛାତ୍ରଛାତ୍ରୀ ମାନେ ତାଙ୍କର ଯୁକ୍ତି ସଙ୍ଗତ ଦାବି ଉପସ୍ଥାପନ କରିଛନ୍ତି । ତେବେ ତାହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମାନେ ଆଲୋଚନା କରି ସମାଧାନ କରିବା ଆବଶ୍ୟକତା ଥିଲା । ବିଧାୟକଙ୍କ ହସ୍ତକ୍ଷେପ କୌଣସି ଆବଶ୍ୟକତା ନଥିଲା । ତେବେ ସେ ବିଶ୍ୱବିଦ୍ୟାଳୟକୁ ଯାଇ ବିବାଦ ସୃଷ୍ଟି କରିଲେ କାହିଁକି? ଶିକ୍ଷକ ମାନଙ୍କୁ ବିଧାୟକ ଦୁର୍ବ୍ୟବହାର କରିଥିବାର ଅଭିଯୋଗ କରିଥିବା ବେଳେ ବିଧାୟକ ମଧ୍ୟ ଚିପ୍ ୱାର୍ଡେନଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ସମାଧାନ ବୈଠକରେ କୂଳପତିଙ୍କ ଉପସ୍ଥିତିରେ ସମସ୍ତ ଘଟଣା ଘଟିଛି ।
ସବୁ ଘଟଣା ଘଟିବା ପରେ ମଧ୍ୟ କୂଳପତି ଚୁପ୍ ଅଛନ୍ତି । ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିବା ବଦଳରେ ନିରବ ରହିବା ସମସ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୂଳପତି ମଧ୍ୟ ବିଧାୟକଙ୍କ ସମ୍ମୁଖରେ ଅସହାୟ ହୋଇଛନ୍ତି । ବିଜେପି ସରକାରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉନ୍ନତି ଘଟିବା ବଦଳରେ ଅବନତି ଘଟିବାରେ ଲାଗିଛି । ଓଡ଼ିଶାରୁ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥିବା ସହ ରାଜ୍ୟର ଶିକ୍ଷା ମନ୍ତ୍ରୀ ମଧ୍ୟ କେବଳ ବଡ ବଡ କଥା କହିଲେ । କିନ୍ତୁ ଉନ୍ନତି ନେଇ କୌଣସି ପଦକ୍ଷେପ ଗ୍ରହଣ କରିଲେ ନାହିଁ । ଯାହା ଫଳରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହି ଆନେ୍ଦାଳନ ମୁଣ୍ଡ ଟେକୁଛି । ବିଧାୟକ ଓ ଶିକ୍ଷକ ମାନଙ୍କ ବିବାଦ ନେଇ ଅଭିଯୋଗ ସତ୍ତ୍ୱେ ରାଜ୍ୟ ସରକାର ଏକ କମିଟି କରି ଘଟଣାର ତଦନ୍ତ କାହିଁକି କରୁନାହାଁନ୍ତି । ଘଟଣା ସମୟର ସିସି ଟିଭି ଫୁଟେଜ କାହିଁକି ଯାଞ୍ଚ ହେଉନି । ଏତେ ସବୁ ପରେ ବି ରାଜ୍ୟ ସରକାର ଚୁପ୍ ରହିଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟ ପରି ଓଡ଼ିଶାର ଐତିହ୍ୟ ସମ୍ପର୍ଣ୍ଣ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ । ଏଥିରେ କୂଳପତିଙ୍କ ପ୍ରମୁଖ ଭୂମିକା ରହିଛି । ଯଦି କୂଳପତି ମୁଁହ ଖୋଲି ପାରୁନାହାଁନ୍ତି ତେବେ ତୁରନ୍ତ ପଦବୀରୁ ଅବ୍ୟାହତି ନେଇ ଯିବାର ଆବଶ୍ୟକ ରହିଛି । ଯିଏ ଦୋଷୀ ତାହା କ୍ଷେତ୍ରରେ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ଆଇନକୁ ତା ବାଟରେ ଛାଡି ଦିଅ ବୋଲି କହିଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଗତ ଦୁଇ ଦିନ ହେବ ବିବାଦ ଜାରି ଥିବା ବେଳେ ସାରା ଓଡ଼ିଶାର ନଜର ସେଥି ପ୍ରତି ରହିଛି । ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ରାଜନୈତିକ ହସ୍ତକ୍ଷେପକୁ ବନ୍ଦ କରାଯାଉ । ବିଶ୍ୱବିଦ୍ୟାଳୟର ସମ୍ମାନ ଅକ୍ଷୁର୍ଣ୍ଣ ରଖିବାକୁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି ।









