ବିହାର: ବିହାରର ରାଜଧାନୀ ପାଟନାରେ କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଆବାସ ଘେରାଉ ପାଇଁ ବିଶାଳ ପ୍ରତିବାଦ ରାଲି ଆୟୋଜନ କରାଯାଇଛି । ଏହି ରାଲିରେ ବହୁ ସଂଖ୍ୟକ ଛାତ୍ର ଓ କର୍ମୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଆବାସ ଅଭିମୁଖେ ଅଗ୍ରସର ହୋଇଥିଲେ । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ପ୍ରଦର୍ଶନକାରୀ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଯାଇଥିଲେ ।
ସୂଚନା ଅନୁସାରେ, ପାଟନାର ଇନକମ୍ ଟ୍ୟାକ୍ସ ଛକ ନିକଟରେ ପୋଲିସ ପକ୍ଷରୁ ବ୍ୟାରିକେଡ୍ ସ୍ଥାପନ କରାଯାଇଥିଲା । ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ପ୍ରଦର୍ଶନକାରୀମାନେ ଆଗକୁ ବଢ଼ିଥିଲେ, କିନ୍ତୁ ପରବର୍ତ୍ତୀ ବ୍ୟାରିକେଡ୍ରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହି ପ୍ରଦର୍ଶନ ବିହାରରେ ଛାତ୍ର ଆନ୍ଦୋଳନ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଲାଠିଚାର୍ଜ ଏବଂ ସିୱାନରେ ଛାତ୍ରଙ୍କ ଉପରେ ଗୁଳିଚାଳନା ଘଟଣାକୁ ବିରୋଧ କରି ନ୍ୟାୟ ଦାବିରେ କରାଯାଇଥିଲା । ସେହିପରି, ନିଟ୍ (NEET) ପେପର ଲିକ୍ ଘଟଣାକୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ପୋଲିସର ଲାଠିଚାର୍ଜକୁ ମଧ୍ୟ NSUI ତୀବ୍ର ବିରୋଧ କରିଛି ।










