ଭୁବନେଶ୍ୱର: ଶ୍ରାବଣର ପ୍ରଥମ ସୋମବାରରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଏବେ ସ୍ୱାଭାବିକ ହୋଇଛି । ଶ୍ରାବଣ ପାଉଣା ବଣ୍ଟାକୁ କେନ୍ଦ୍ର କରି ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତକାଲି ସନ୍ଧ୍ୟାରୁ ନୀତିକାନ୍ତି ବନ୍ଦ ରହିଥିଲା । ଫଳରେ ପୂଜା ନ କରି ଶ୍ରଦ୍ଧାଳୁମାନଙ୍କୁ କେବଳ ଜଳଲାଗି କରି ଫେରିବାକୁ ପଡ଼ିଥିଲା । ତେବେ ପ୍ରଶାସନର ହସ୍ତକ୍ଷେପ ପରେ ଏବେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି । ହଜାର ହଜାର ଶ୍ରଦ୍ଧାଳୁ ବାବା ଲିଙ୍ଗରାଜଙ୍କ ଦର୍ଶନ ଓ ଜଳଲାଗି ପାଇଁ ମନ୍ଦିରରେ ପହଞ୍ଚିଥିଲେ କିନ୍ତୁ ଶ୍ରାବଣ ପାଉଣା ବଣ୍ଟାକୁ ନେଇ ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଯୋଗୁଁ ଗତକାଲି ସନ୍ଧ୍ୟାରୁ ମନ୍ଦିରର ନୀତିକାନ୍ତି ଠପ୍ ହୋଇଯାଇଥିଲା । ଏହାର ସିଧାସଳଖ ପ୍ରଭାବ ପଡ଼ିଥିଲା ଶ୍ରଦ୍ଧାଳୁଙ୍କ ଉପରେ। ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ବାବାଙ୍କ ପୂଜା କରିପାରିନଥିଲେ ।କେବଳ ଜଳଲାଗି କରି ନିରାଶ ମନରେ ଫେରିବାକୁ ପଡ଼ିଥିଲା । ଶ୍ରାବଣର ସୋମବାର ଭଳି ପବିତ୍ର ଦିନରେ ଏଭଳି ପରିସ୍ଥିତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା ।










