-‘ପିଏମଏୱାଇ-(ୟୁ) ବନ୍ଧୁ’ ଯୋଜନାକୁ ମଞ୍ଜୁରୀ
– ୨୦୨୯ ସୁଦ୍ଧା ସୁଦ୍ଧା ବ୍ୟୟ ହେବ ୧୬୧୫ କୋଟି
– ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା ପାଇଁ ୩୬୭.୯୭ କୋଟି
ଭୁବନେଶ୍ୱର: ସହରାଞ୍ଚଳରେ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇବା ପାଇଁ ଓଡ଼ିଶା ସରକାର “ସମସ୍ତଙ୍କ ପାଇଁ ଓଡ଼ିଶା ଗୃହ ନିର୍ମାଣ’ ନୀତିର ପରିକଳ୍ପନା କରିଛନ୍ତି। ସହରାଞ୍ଚର ସମସ୍ତ ଯୋଗ୍ୟ ପରିବାରକୁ ୨୦୨୯ ସୁଦ୍ଧା ପକ୍କାଘର ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ର ପରିପୂରକ ଭାବେ ‘ପିଏମ୍ଏୱାଇ-(ୟୁ) ବନ୍ଧୁ’ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଯେଉଁଥି ପାଇଁ ୧୬୧୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ୨୦୨୯ ସୁଦ୍ଧା ପୁଞ୍ଜିଗତ ବ୍ୟୟ ଏବଂ ରାଜସ୍ୱ ବ୍ୟୟ ପାଇଁ ବ୍ୟବହାର କରାଯିବ। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।
ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୬ ବିଭାଗର ୧୧ ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ଏଥିରେ ଅର୍ଥ ବିଭାଗର ୧ଟି, ଆଇନ ବିଭାଗର ୧ଟି, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ (ଏସ୍ଟିଏସ୍ସି ) ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ଟି ଏବଂ ଜଳସମ୍ପଦ ବିଭାଗର ସର୍ବାଧିକ ୫ଟି, ଏହିପରି ମୋଟ ୬ଟି ବିଭାଗର ୧୧ଟି ପ୍ରସ୍ତାବ ଅର୍ନ୍ତଭୁକ୍ତ। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଓଡ଼ିଶା ସରକାର ୨୦୧୭ ମସିହାରୁ ରାଜ୍ୟର ସମସ୍ତ ୧୧୫ଟି ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଏବଂ ପିଏମ୍ୟୁ-୨.୦ କାର୍ଯ୍ୟକାରୀ କରିଆସୁଛନ୍ତି। ରାଜ୍ୟରେ ନୂତନ ଭାବେ ଘୋଷଣା କରାଯାଇଥିବା ୨୮ଟି ସହରାଞ୍ଚଳରେ ମଧ୍ୟ ପିଏମ୍ୟୁ-୨.୦ କାର୍ଯ୍ୟକାରୀ କରାଯିବ। ଓଡ଼ିଶା ପରିକଳ୍ପନା ଦସ୍ତାବିଜ (ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା), ଯେଉଁଥିରେ ପକ୍କାଘର ସଂଖ୍ୟାକୁ ୨୦୨୪ ମସିହାର ୫୯% ରୁ ୨୦୨୯ ସୁଦ୍ଧା ୯୦% କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ତାହାକୁ ଆଧାର କରି ରାଜ୍ୟ ସରକାର ୨୦୨୫-୨୦୩୦ ମଧ୍ୟରେ ପିଏମ୍ୟୁ-୨.୦ ଅଧୀନରେ ଅତିରିକ୍ତ ୩.୦–୩.୫ ଲକ୍ଷ ସହରାଞ୍ଚଳ ପରିବାରକୁ ଗୃହ ନିର୍ମାଣ ସହାୟତା ଯୋଗାଇଦେବାକୁ ଲକ୍ଷ୍ୟ ରଖୁଛନ୍ତି। ପିଏମ୍ୟୁ-୨.୦ର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ, ରାଜ୍ୟ ଦ୍ୱାରା କେତେକ ଅଭିନବ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଅନୁଭୂତ ହୋଇଛି। ସେଗୁଡ଼ିକ ହେଉଛି, ଓଡ଼ିଶାର ସହରାଞ୍ଚଳରେ, ବିଶେଷ କରି ଛୋଟ ସହରଗୁଡ଼ିକରେ ସହଭାଗିତାରେ ସୁଲଭ ଗୃହ ନିର୍ମାଣ ପ୍ରକଳ୍ପଗୁଡ଼ିକର ଆର୍ଥିକ ବ୍ୟବହାର୍ଯ୍ୟତା, ହିତାକାରୀଙ୍କୁ ସେମାନଙ୍କର ନିଜସ୍ୱ ଅଂଶଦାନ ପ୍ରଦାନ କରିବା ପାଇଁ ଆର୍ôଥକ ପ୍ରୋତ୍ସାହନ, ଆର୍ôଥକ ଅନଗ୍ରସର ଶ୍ରେଣୀ ହିତାକାରୀମାନଙ୍କୁ ଉପଯୁକ୍ତ ସୁଧ ହାରରେ ଗୃହ ଋଣ ପାଇବାରେ ସହଯୋଗ କରିବା। ଏହି ଅଭାବଗୁଡ଼ିକୁ ଦୂର କରିବା ଏବଂ ସାର୍ବଜନୀନ ଗୃହ ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ, ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ପ୍ରସ୍ତାବ ରହିଛି। ଏହା ପିଏମ୍ୟୁ-୨.୦ ଯୋଜନାକୁ ସହଯୋଗ ଏବଂ ସମ୍ପ୍ରସାରିତ କରିବା ପାଇଁ ଏକ ପରିପୂରକ ରାଜ୍ୟ ଯୋଜନା।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଯୋଜନାର ଚାରୋଟି ମୁଖ୍ୟ ଉପାଦାନ ରହିଛି। ପ୍ରଥମ ଉପାଦାନଟି ହେଉଛି, ଭାଗିଦାରୀରେ ସୁଲଭ ବାସଗୃହ, ସୁଲଭଭଡ଼ା ଗୃହ ଏବଂ ଟ୍ରାଞ୍ଜିଟ୍ ହାଉସ୍ ପ୍ରକଳ୍ପଗୁଡ଼ିକର ବିକାଶରେ ସହାୟତା କରିବ। ଏହି ୫ ବର୍ଷ ମଧ୍ୟରେ ଏହି ଉପାଦାନ ପାଇଁ ମୋଟ ୬୭୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଉପାଦାନ-୨ ହେଉଛି, ହିତାଧିକାରୀମାନଙ୍କୁ ଶ୍ରମ କ୍ଷତିପୂରଣ ଏବଂ ପ୍ରୋତ୍ସାହନ ଆକାରରେ ଅତିରିକ୍ତ ଆର୍ôଥକ ସହାୟତା ପ୍ରଦାନ କରିବ। ଏହି ୫ ବର୍ଷ ମଧ୍ୟରେ ଏହି ଉପାଦାନ ପାଇଁ ମୋଟ ୬୮୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଉପାଦାନ-୩ ହେଉଛି, ହିତାଧିକାରୀମାନଙ୍କୁ ସୁଲଭ ମୂଲ୍ୟରେ ଗୃହ ଋଣ ସୁବିଧା ଯୋଗାଇବ ଏବଂ ବଞ୍ଚିତ ହିତାକାରୀଙ୍କ ପାଇଁ ସୁଧ ରିହାତି ସହାୟତା ପ୍ରଦାନ କରିବ ଯୋଜନାର ୫ ବର୍ଷ ଅବଧି ମଧ୍ୟରେ ଉପାଦାନ ପାଇଁ ୧୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଉପାଦାନ-୪ ହେଉଛି, ସ୍ୱତନ୍ତ୍ର ମାମଲାଗୁଡ଼ିକରେ ଆର୍ôଥକ ସହାୟତା ପ୍ରଦାନ କରିବ ଯେଉଁଠାରେ କ୍ଲଷ୍ଟର ହାଉସିଙ୍ଗ, ବସ୍ତି-ମୁକ୍ତକରଣ କିମ୍ବା ଅନ୍ୟାନ୍ୟ ଯୋଜନାବଦ୍ଧ ହସ୍ତକ୍ଷେପ ଯୋଗୁଁ ହିତାକାରୀମାନେ ବିସ୍ଥାପିତ ହୁଅନ୍ତି ଓ ଏହି ଉପାଦାନ ପାଇଁ ମୋଟ ୧୨୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବନ୍ଧୁ ପିଏମ୍ୟୁ ହିତାକାରୀମାନଙ୍କର ପ୍ରକୃତ ବନ୍ଧୁ ହେବ। ଉକ୍ତ ଯୋଜନା ସାରା ରାଜ୍ୟରେ, ବିଶେଷ କରି ଛୋଟ ସହରଗୁଡ଼ିକରେ ଯେଉଁଠାରେ ପୂର୍ବରୁ ଭାଏବିଲିଟି ଏକ ଆହ୍ୱାନ ଥିଲା, ସେଠାରେ ସହଭାଗିତାରେ ସୁଲଭ ଗୃହ ନିର୍ମାଣ, ସୁଲଭଭଡ଼ା ଘର ଏବଂ ଟ୍ରାଞ୍ଜିଟ୍ ହାଉସ୍ କାର୍ଯ୍ୟକାରୀ କରିବା ପାଇଁ’ ‘ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ’ ସହାୟତା ପ୍ରଦାନ କରିବାରେ ଏକ ସହାୟକ ଭାବେ କାର୍ଯ୍ୟ କରିବ। ଏହି ଯୋଜନା ମାଧ୍ୟମରେ ଆଗାମୀ ୫ ବର୍ଷରେ ପ୍ରାୟ ୩୦,୦୦୦ ଏଏଚ୍ପି ୟୁନିଟ୍ ଏବଂ ୧୦,୦୦୦ ଏଆର୍ପି ଓ ଟିଏଚ୍ ୟୁନିଟ୍ ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଏଏଚ୍ପି ପ୍ରକଳ୍ପଗୁଡ଼ିକ ପର୍ଯ୍ୟାପ୍ତ ଖୋଲା ସ୍ଥାନ, ସୌର ଶକ୍ତି ଏବଂ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ସହିତ ସ୍ଥାୟୀ ବିକାଶ ଧାରଣା ଅନୁଯାୟୀ ବିକଶିତ କରାଯିବ। ଏହା ବ୍ୟତୀତ ଏହି ପ୍ରକଳ୍ପଗୁଡ଼ିକ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର, ଶିଶୁ ଖେଳ ପଡ଼ିଆ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପିଡିଏସ ବିତରଣ କେନ୍ଦ୍ର ଭଳି ସାମାଜିକ ଭିତ୍ତିଭୂମି ସୁନିଶ୍ଚିତ କରାଯିବ। ଅଭାବୀ ହିତାକାରୀମାନଙ୍କୁ ଗୃହ ଆବଣ୍ଟନ କରିବା ସମୟରେ ଏହି ଯୋଜନା ଅସହାୟ, ବଞ୍ଚିତ ଏବଂ ଭିନ୍ନକ୍ଷମ ନାଗରିକମାନଙ୍କୁ ପ୍ରାଥମିକତା ଦେବ ଗୃହ ନିର୍ମାଣ ସମୟରେ ହିତାକାରୀମାନଙ୍କ ନିଜସ୍ୱ ଶ୍ରମ ଅଂଶଦାନ କିମ୍ବା ସେମାନଙ୍କ ଜୀବିକାର କ୍ଷତି ଭରଣା ପାଇଁ ଅତିରିକ୍ତ ଆର୍ôଥକ ସହାୟତା ପ୍ରଦାନ କରାଯିବ। ଏଥିସହ, ଶୀଘ୍ର ଗୃହ ସମ୍ପୂର୍ଣ କରିବା ପାଇଁ ହିତାଧ୍କାରୀଙ୍କୁ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଆର୍ôଥକ ଦୁର୍ବଳ ଶ୍ରେଣୀର ହିତାଧିକାରୀମାନଙ୍କୁ ଉପଯୁକ୍ତ ସୁଧ ହାରରେ ଗୃହ ଋଣ ଯୋଗାଇଦେବା ପାଇଁ ଅନେକ ପଦକ୍ଷେପ ନିଆଯିବ ଅତ୍ୟଧିକ ବଞ୍ଚିତ ହିତାଧିକାରୀଙ୍କୁ ସୁଧ ରିହାତି ସହାୟତା ମଧ୍ୟ ପ୍ରଦାନ କରାଯିବ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ରାଜ୍ୟରେ ଅର୍ଥନୈତିକ ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ଗଠନ ନିମନ୍ତେ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ ସଂଶୋଧନ ବିଲ୍ ଅନୁମୋଦନ ଲାଭ କରିଛି। ସମନ୍ୱିତ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ପାଇଁ ଦୁଇଟି କ୍ଷେତ୍ରରେ ୧୪୫ କୋଟି ୭୦ ଲକ୍ଷ ୮୯,୮୦୨ ଏବଂ ୧୧୨ କୋଟି ୫୧ ଲକ୍ଷ ୯୭,୧୨୫ ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି। ସେହିପରି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା ପାଇଁ ୨୩୪.୭୮ କୋଟି ଏବଂ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଅନୁରୂପ ପ୍ରକଳ୍ପ ନିମନ୍ତେ ୧୩୩.୧୯ କୋଟି ଟଙ୍କାର ପ୍ରସ୍ତାବରେ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।










