28.5 C
Bhubaneswar
Saturday, August 1, 2026
Homeଓଡିଶାଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬: ଦାବି ଓ ଆପତ୍ତି ଦାଖଲ ଅବଧି ୧୯ ଅଗଷ୍ଟ...

ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬: ଦାବି ଓ ଆପତ୍ତି ଦାଖଲ ଅବଧି ୧୯ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଅଧୀନରେ ଚିଠା ଭୋଟର ତାଲିକା ଉପରେ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟସୀମାକୁ ଭାରତ ନିର୍ବାଚନ ଆୟୋଗ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ଆଧିକାରିକ ବିଜ୍ଞପ୍ତି ଆଜି ଗୃହ (ନିର୍ବାଚନ) ବିଭାଗ ପକ୍ଷରୁ ଓଡ଼ିଶା ଗେଜେଟ୍ ରେ ପ୍ରକାଶ ପାଇଛି। ୦୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲିଥିବା ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପାଇଁ ଭାରତ ନିର୍ବାଚନ ଆୟୋଗ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା, ଯୋଗ୍ୟ ଭୋଟରଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଏବଂ ଦାବି ଓ ଆପତ୍ତି ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ ଓ ଅନ୍ତର୍ଭୂକ୍ତିମୂଳକ କରିବା ଉଦ୍ଦେଶ୍ୟରେ ଏହି ସମୟ ବୃଦ୍ଧି କରାଯାଇଛି। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍. ଏସ୍. ଗୋପାଲନଙ୍କ ଅନୁରୋଧ କ୍ରମେ, Registration of Electors Rules, 1960ର Rule 12 ଅନୁଯାୟୀ ଭାରତ ନିର୍ବାଚନ ଆୟୋଗ ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖକୁ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ଚିଠା ଭୋଟର ତାଲିକାରେ ସାମିଲ ହୋଇନାହିଁ କିମ୍ବା ଭୋଟର ତାଲିକାରେ ଥିବା ତଥ୍ୟରେ କୌଣସି ତ୍ରୁଟି ରହିଛି, ସେମାନେ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଏହି ଅବଧି ମଧ୍ୟରେ ଫର୍ମ-୬ ମାଧ୍ୟମରେ ନୂତନ ଭୋଟର ଭାବେ ପଞ୍ଜୀକରଣ, ଫର୍ମ-୭ ମାଧ୍ୟମରେ ନାମ ବିଲୋପ ପାଇଁ ଆବେଦନ ଏବଂ ଫର୍ମ-୮ ମାଧ୍ୟମରେ ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ ପାଇଁ ଆବେଦନ କରାଯାଇପାରିବ। ୦୧ ଜୁଲାଇ ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ସମସ୍ତ ଯୋଗ୍ୟ ନାଗରିକ ଏହି ସୁଯୋଗର ସଦ୍‌ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ନୋଟିସ ପ୍ରଦାନ, ଶୁଣାଣି ଓ ଦାବି-ଆପତ୍ତିର ନିଷ୍ପତ୍ତି ପ୍ରକ୍ରିୟା ୧୭ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହା ପରେ ୨୧ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଏହି ବର୍ଦ୍ଧିତ ସମୟସୀମାର ସୁଯୋଗ ନେଇ ନିଜ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା କିମ୍ବା ଆବଶ୍ୟକ ସଂଶୋଧନ କରାଇବା ପାଇଁ ଆହ୍ୱାନ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking