ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ ଅଭିଯୋଗକୁ ନେଇ ହଇଚଇ । ଘଟଣାକୁ ଗୁରୁତର ସହ ନେଇଛି ଓଡିଶା ୟୁନିଭର୍ସିଟି ଅଫ ହେଲ୍ଥ ସାଇନ୍ସ ବା ଓୟୁଏଚଏସ । ସତ୍ୟାସତ୍ୟ ଜାଣିବା ପାଇଁ ଗଠନ କରାଯାଇଛି ୫ ଜଣିଆ ତଦନ୍ତ କମିଟି । କମିଟିକୁ ୭୨ ଘଣ୍ଟା ମଧ୍ୟରେ ଶେଷ କରି ବିସ୍ତୁତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ତଦନ୍ତ ସମୟରେ ଆବଶ୍ୟକ ପଡିଲେ ସାଇବର ସେଲର ସହାୟତା ନିଆଯିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି । ପ୍ରଶ୍ନପତ୍ର କେମିତି ଏବଂ କେଉଁ ପର୍ଯ୍ୟାୟରେ ଲିକ ହେଲା, ଏହା ପଛରେ କାହାର ସମ୍ପୃକ୍ତି ରହିଛି କି ନାହିଁ ଓ ଅଭିଯୋଗରେ କେତେ ସତ୍ୟତା ରହିଛି, ସେସବୁ ଦିଗକୁ ନେଇ ଖୋଳତାଡ କରୁଛି ତଦନ୍ତ ଟିମ । ପେପର ଲିକ ଭଳି ଘଟଣା ଡାକ୍ତରୀ ଶିକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ପ୍ରଭାବ ପକାଇଥାଏ । ସେଥିପାଇଁ ଦୋଷୀଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଛାତ୍ରଛାତ୍ରୀ ଓ ସାଧାରଣରେ ଦାବି ଜୋର ଧରିଛି ।










