ଭୁବନେଶ୍ୱର : ରାଜ୍ୟରେ ଲଘୁଚାପର ପ୍ରଭାବ ଜାରି ରହିଥିବାବେଳେ ବାଲେଶ୍ୱରରେ ମଧ୍ୟ ଝିପିଝିପି ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲା ପାଇଁ ଆଜି ଓ ଆସନ୍ତାକାଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସକାଳ ୮ଟା ସୁଦ୍ଧା ଜିଲ୍ଲାରେ ୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଗାତାର ବର୍ଷା ଯୋଗୁଁ ବାଲେଶ୍ୱର ସହରର ଜନଜୀବନ ବେଶ୍ ପ୍ରଭାବିତ ହୋଇଛି । ବର୍ଷା କାରଣରୁ ବଜାର ଅଞ୍ଚଳରେ ଲୋକଙ୍କ ଭିଡ଼ କମ୍ ଦେଖିବାକୁ ମିଳୁଛି । ଦୋକାନ ବଜାର ଫାଙ୍କା ପଡ଼ିଥିବାବେଳେ ରାସ୍ତାଘାଟରେ ମଧ୍ୟ ଯାନବାହନ ଚଳାଚଳ କମିଯାଇଛି ।ଅନ୍ୟପଟେ ସହରର ଅଧିକାଂଶ ରାସ୍ତାର ଖାଲଖମାରେ ବର୍ଷା ପାଣି ଜମି ରହିଛି । ଏହା ଯାନବାହନ ଚାଳକ, ବିଶେଷକରି ଦୁଇଚକିଆ ଯାନ ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଅନେକ ସ୍ଥାନରେ ପାଣି ଜମି ରହିବା ଫଳରେ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି ।










