ବାଲେଶ୍ୱର: ବୁଲା ଗୋରୁ ଗାଈଙ୍କ ପାଇଁ ଲାଗିଥିଲା ବିଦ୍ୟୁତ। କିନ୍ତୁ ଅଜାଣତାରେ ଚାଲିଗଲା ୨ ଜଣଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମହିଷାପଣ୍ଡା ଗାଁ ନିକଟ ଚାଷ ଜମିରେ ଚାଲିଗଲା ୨ ଜଣଙ୍କ ଜୀବନ । ମୃତକ ହେଲେ ବାବୁଲି ଦାସ, ପାର୍ବତୀ ମୁଣ୍ଡା । ଗତକାଲି ବାବୁଲି ଦାସ ଚାଷ ଜମିରେ ପଡିଥିବା ତଳିକୁ ବୁଲା ଗୋରୁ ଗାଈଙ୍କ ଠାରୁ ସୁରକ୍ଷା ପାଇଁ ତାର ଲଗାଇଥିଲେ । ଆଜି ଅଜାଣତରେ ତାର ନଖୋଲି ବିଲକୁ ଯାଇଥିବା ବେଳେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଯାହା ଫଳରେ ସେ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ । ବିଲରେ ଛଟପଟ ହେଉଥିବା ଦେଖି ରାସ୍ତା ପାଖରେ ଘର କରିଥିବା ଜଣେ ବୃଦ୍ଧା ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ସହୋଇଥିଲେ। ତେବେ ସେହିଠାରେ ହିଁ ଉଭୟଙ୍କର ଜୀବନ ଚାଲିଯାଇଥିଲା । ସ୍ଥାନୀୟ ଲୋକେ ବିଦ୍ୟୁତ ତାର ଛିଡାଇ ଅଡା ଦମକଳ କେନ୍ଦ୍ର ଓ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଦମକଳ କେନ୍ଦ୍ରର କର୍ମଚାରୀ ସେମାନଙ୍କୁ ବିଲରୁ ଉଦ୍ଧାର କରିଥିବା ବେଳେ ଆସିଥିବା ଏକ ଆମ୍ବୁଲାନ୍ସରେ ତାଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ ।










