ପୁରୀ: ପବିତ୍ର ଘୋଷଯାତ୍ରା ଅବସରରେ ଲୋକାରଣ୍ୟ, ଜନସମୁଦ୍ର ଶ୍ରୀକ୍ଷେତ୍ର । ଚାଲିଛି କଳାଠାକୁରଙ୍କ ପହଣ୍ଡି ବିଜେ । ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପରେ ଶେଷରେ କୋଟି କୈବଲ୍ୟନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ରତ୍ମବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି । ନନ୍ଦିଘୋଷ ରଥକୁ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତେ । କିନ୍ତୁ ମହାବାହୁଙ୍କ ପହଣ୍ଡି ବିଜେ ବେଳେ ଦେଖାଯାଇଛି କିଛି ରୋଚକ ଦୃଶ୍ୟ । ମହାବାହୁ ପହଣ୍ଡି ବିଜେ କଲାବେଳେ ବିନା ଟାହିଆରେ ଘଣ୍ଟ, କାହାଳୀ ଶବ୍ଦରେ ଝୁଲି ଝୁଲି ଆସୁଛନ୍ତି । ତେବେ ମନରେ ପ୍ରଶ୍ନ ଯେ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ପହଣ୍ଡିବେଳେ ଟାହିଆ ପିନ୍ଧି ନିଜ ନିଜ ରଥକୁ ବିଜେ କରିଥିଲେ । କିନ୍ତୁ କାଳିଆ ସାଆନ୍ତେ ବିନା ଟାହିଆରେ ଆସୁଛନ୍ତି । ଯାହାକି ମନରେ ପ୍ରଶ୍ନ ସୃଷ୍ଟି କରିଛି । ଆଜି ଭଳି ପବିତ୍ର ଘୋଷଯାତ୍ରାରେ ମୃଷଳ ଧାରାରେ ଝରୁଥିବା ବର୍ଷାର ମଜା ନେଉଛନ୍ତି ଭକ୍ତ । ଚକାଡୋଳା ଶ୍ରୀ ଜଗନ୍ନାଥ ମଧ୍ୟ ତା ଭକ୍ତକୁ ଦୁଇ ନୟନରେ ବାନ୍ଧି ରଖିବା ସହ ଝିପି ଝିପି ବର୍ଷାରେ ମନ୍ଥର ଗତିରେ ପହଣ୍ଡି ବିଜେ କରୁଛନ୍ତି । ଭକ୍ତ, ଭଗବାନଙ୍କ ଏହି ମିଳନ ଅପାର । ପ୍ରଭୁଙ୍କ ଏହି ଦୁର୍ଲଭ ଦୃଶ୍ୟ ପାଇଁ କୋଟି କୋଟି ଭକ୍ତ ପାଛୁଟି ଆସିଛନ୍ତି ଆଜି ଶ୍ରୀ କ୍ଷେତ୍ରକୁ । ଜନସମୁଦ୍ର ସହ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ ଦାଣ୍ଡ ।









