ପୁରୀ: ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସମ୍ପୂର୍ଣ୍ଣ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ । ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ଓ ଜରୁରୀ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ବିଲ୍ଡିଂରେ ୧୫୦ଟି ବେଡ୍ ଏବଂ TBIT ବିଲ୍ଡିଂରେ ୮୦ଟି ବେଡ୍ ସହ ମୋଟ ପ୍ରାୟ ୨୭୦ଟି ବେଡ୍ ପ୍ରସ୍ତୁତ ରଖାଯାଇଛି । ଯେକୌଣସି ଜରୁରୀ ପରିସ୍ଥିତିରେ ଭକ୍ତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । କେବଳ ବେଡ୍ ନୁହେଁ, ୨୭୦ ଜଣ ଡାକ୍ତର, ୨୦୦ରୁ ଅଧିକ ପାରାମେଡିକାଲ କର୍ମଚାରୀ ଓ ନର୍ସ, ଏବଂ ୨୫୦ ୟୁନିଟ୍ ରକ୍ତ ମଧ୍ୟ ସଂରକ୍ଷିତ ରଖାଯାଇଛି ।
ଏହାସହ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୮ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ ସ୍ଥାପନ କରାଯାଇଛି, ଯାହାଫଳରେ ଭକ୍ତମାନେ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇପାରିବେ । ଜରୁରୀ ରୋଗୀଙ୍କୁ ଶୀଘ୍ର ହସ୍ପିଟାଲ ପହଞ୍ଚାଇବା ପାଇଁ ୪୬ଟି ସରକାରୀ ଆମ୍ବୁଲାନ୍ସ ମଧ୍ୟ ୨୪ ଘଣ୍ଟା ପ୍ରସ୍ତୁତ ରହିଛି । ପୁରୀ CDMOଙ୍କ ସୂଚନା ଅନୁସାରେ, ରଥଯାତ୍ରା ସମୟରେ ଭକ୍ତଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସମଗ୍ର ବ୍ୟବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି, ଯାହାଫଳରେ ଲକ୍ଷାଧିକ ଶ୍ରଦ୍ଧାଳୁ ସୁରକ୍ଷିତ ଭାବେ ରଥଯାତ୍ରାରେ ସାମିଲ ହୋଇପାରିବେ ।









