30 C
Bhubaneswar
Wednesday, July 15, 2026
Homeଦେଶ ବିଦେଶଜେଲରୁ ବାହାରିବେ ଦାରା ସିଂ

ଜେଲରୁ ବାହାରିବେ ଦାରା ସିଂ

ନୂଆଦିଲ୍ଲୀ : ଦାରା ସିଂ । ବିଗତ୨୬ ବର୍ଷ ଧରି ଏକ ଚର୍ଚ୍ଚିତ ନାମ । ଜେଲ୍ର ଅନ୍ଧାର କୋଠରୀରୁ ଖୁବ ଶୀଘ୍ର ତାଙ୍କୁ ମିଳିବ ମୁକ୍ତି । ଏହି ଖବର ଏବେ ଏବେ ମନେ ପକାଇ ଦେଇଛି ସେଇ କାଳରାତିକୁ । ୧୯୯୯ ମସିହା ଜାନୁଆରୀ ୨୨ ତାରିଖ ମଧ୍ୟରାତ୍ର । ମୟୂରଭଞ୍ଜ ଜିଲ୍ଲାର ଅଖ୍ୟାତ ଆଦିବାସୀ ଗ୍ରାମ ମନୋହରପୁର । ଅନ୍ଧକାର ରାତିରେ ଘଟିଥିଲା ଏକ ଘଟଣା । ଯାହାକି ଓଡ଼ିଶା ଇତିହାସରେ ନୃଶଂସତାର ନୂଆ ପରିଭାଷା ଲେଖିଥିଲା ।

ବହୁଚର୍ଚ୍ଚିତ କଏଦୀ ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଦୀର୍ଘ ୨୬ ବର୍ଷ କାଳ ଜେଲ୍ ଦଣ୍ଡ ଭୋଗିବା ପରେ ଶେଷରେ ଜେଲ୍ ପ୍ରାଚୀରରୁ ମୁକୁଳିବାକୁ ଯାଉଛନ୍ତି । ଆଗାମୀ ଅଗଷ୍ଟ ୧୫ରେ ତାଙ୍କୁ ଜେଲ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୬ ବର୍ଷ ଧରି କାରାଗାରରେ ବନ୍ଦୀ ଥିବା ଦାରା ସିଂହଙ୍କ ମୁକ୍ତି ପାଇଁ ଦାରା ସେନା ପକ୍ଷରୁ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଡିଭିଜନ ବେଞ୍ଚର ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଶେଷ ହୋଇଛି। କୋର୍ଟ ଅଗଷ୍ଟ ୧୫ ସୁଦ୍ଧା ତାଙ୍କୁ ଜେଲ୍ରୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜାଣନ୍ତୁ ଦାରା ସିଂ କିଏ ? ପୁରା ଘଟଣା କଣ ଥିଲା

ରବିନ୍ଦ୍ର ପାଲ ଓରଫ ଦାରା ସିଂ । ମନୋହରପୁର ଗଣହତ୍ୟାର ମୁଖ୍ୟ ନାୟକ । ଉତ୍ତର ପ୍ରଦେଶର ମୂଳ ବାସିନ୍ଦା । ୧୯୬୨ ଅକ୍ଟୋବର ୨ରେ ଜନ୍ମ । ସ୍ନାତକରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଦିଲ୍ଲୀର ଏକ ଗ୍ରୋସେରୀ ଦୋକାନରେ କିଛି ଦିନ କାମ କରିଥିଲେ । ପରେ ଓଡ଼ିଶା ଆସି ମୟୂରଭଞ୍ଜ ଜିଲ୍ଲାର ମଲ୍ଲିପୋଷିର ସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଧୀରେ ଧୀରେ ସେ ନିଜକୁ ହିନ୍ଦୁଙ୍କ ତ୍ରାଣକର୍ତ୍ତା ଭାବେ ପରିଚୟ ଦେଇ ଅନେକ ଅନୁଗତ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ସେ ଗୋ-ସୁରକ୍ଷା ସମିତି, ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦରେ ନିଜକୁ ସାମିଲ କରିଥିଲେ । ଗ୍ରାହାମ ଷ୍ଟେନ୍ସ ଧର୍ମାନ୍ତରୀକରଣ କରୁଥିବା ସେ ଓ ତାଙ୍କ ଅନୁଗତ ମାନେ ନିୟମିତ ଅଭିଯୋଗ କରି ଆସୁଥିଲେ । ୧୯୯୦ ବେଳକୁ ୫ରୁ ଅଧିକ ମାମଲାରେ ସେ ପୁଲିସ ରାଡାରରେ ରହି ସାରିଥିଲେ । ୧୯୯୮ ସେପ୍ଟେମ୍ବରରେ ଜିଲ୍ଲାର ଗୋଡ଼ଭଙ୍ଗା ଘାଟିରେ ଏକ ଗୋରୁ ଟ୍ରକରୁ ଲୁଟ୍ କରିବା ପରେ ନିଆଁ ଲଗାଇ ଦିଆଯାଇଥିଲା । ଟ୍ରକର ଖଲାସୀ ଶେଖ୍ ଇମାମଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । (ଏହି ମାମଲାରେ ପ୍ରମାଣ ଅଭାବରୁ ୨୦୦୬ ଅକ୍ଟୋବରରେ ଦାରା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ) । ୧୯୯୯ ସେପ୍ଟେମ୍ବରରେ ଅଞ୍ଚଳର ଜାମବଣୀ ଗ୍ରାମରେ ଅରୁଲ ଦୋସ ନାମକ ଖ୍ରୀଷ୍ଟିଆନ ପାଦ୍ରୀଙ୍କୁ ଧନୁତୀରରେ ହତ୍ୟା କରାଯାଇଥିଲା । (ଏହି ମାମଲାରେ ୨୦୦୭ ସେପ୍ଟେମ୍ବରରେ ଦାରା ଓ ଅନ୍ୟ ୩ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଥିଲା) । ୧୯୯୯ ନଭେମ୍ବରରେ ପଡ଼ିଆବେଡ଼ା ଅଞ୍ଚଳରେ ଗୋରୁ ବେପାରୀ ଶେଖ୍ ରହମାନଙ୍କୁ ଆକ୍ରମଣ କରି ହାତ କାଟି ନିଆଁରେ ପୋଡ଼ି ହତ୍ୟା କରାଯାଇଥିଲା । ଏହି ହତ୍ୟା ମଧ୍ୟ ତାଙ୍କରି ନେତୃତ୍ୱରେ ହୋଇଥିବା ଅଭିଯୋଗ ଥିଲା । (ମାମଲାରେ ୨୦୦୭ ଅକ୍ଟୋବରରେ ଦାରାକୁ ଆଜୀବନ ଜେଲ୍ ହୋଇଥିବା ବେଳେ ଅନ୍ୟ ୨୩ ଜଣ ଖଲାସ ହୋଇଯାଇଥିଲେ ।) ଷ୍ଟେନ୍ସ ହତ୍ୟା ପରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ସ୍ପେଶାଲ ଟାସ୍କ ଫୋର୍ସର ୧୧ଟି ଟିମ୍ ଦାରାଙ୍କୁ ଖୋଜୁଥିଲେ । ଶେଷରେ ୨୦୦୦ ଜାନୁଆରୀ ୩୧ରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଷ୍ଟେନ୍ସ ପୋଡ଼ି ମାମଲାରେ ୫୧ ଜଣଙ୍କ ନାମରେ ପ୍ରାଥମିକ ଅଭିଯୋଗ ହୋଇଥିଲା । କିନ୍ତୁ ପରେ ବିଚାର ପ୍ରକ୍ରିୟାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅନେକଙ୍କୁ ମାମଲାରୁ ବାଦ୍ ଦିଆଯାଇଥିଲା । ୨୦୦୩ରେ ଏକ ଟ୍ରାଏଲ କୋର୍ଟ ଦାରା ଓ ସାଥୀ ମହେନ୍ଦ୍ର ହେମ୍ବ୍ରମ୍ଙ୍କୁ ଫାଶୀ ଦଣ୍ଡାଦେଶ ଏବଂ ଅନ୍ୟ ୧୨ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ୨୦୦୫ରେ ଓଡ଼ିଶା ହାଇକୋର୍ଟ ସେମାନଙ୍କ ଫାଶୀକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରିଥିଲେ । ଅନ୍ୟ ୧୨ ଜଣଙ୍କୁ ଦୋଷମୁକ୍ତ କରିଥିଲେ । ୨୦୧୧ ଜାନୁଆରୀ ୧୧ରେ ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ସେହିପରି ଉତ୍ତମ ବ୍ୟବହାର ପାଇଁ ଅନ୍ୟତମ ଅଭିଯୁକ୍ତ ମହେନ୍ଦ୍ର ହେମ୍ବ୍ରମ ୨୦୨୫ ଏପ୍ରିଲରେ ଜେଲରୁ ଖଲାସ ହୋଇଥିଲା । ସେ ଜେଲ୍ରୁ ମୁକ୍ତ ହେବା ପରେ ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ‘ଜୟ ଶ୍ରୀରାମ’ ଧ୍ୱନି ସହ ବେକରେ ଫୁଲମାଳ ସହ ତାଙ୍କୁ ସ୍ୱାଗତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking