ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକ ଶେଷ ହେବା ପରେ ମୁଖ୍ୟ ସଚିବ ଅନୁ ଗର୍ଗ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। କ୍ୟାବିନେଟର ବଡ ନିଷ୍ପତ୍ତି ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ‘ମୁଖ୍ୟମନ୍ତ୍ରୀ ସଡକ ଯୋଜନା’ର ଅବଧିକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏହା ଅଧୀନରେ ୪୬୦୦ କିଲୋମିଟର ନୂଆ ସଡକ ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ବେଳେ ରାସ୍ତା ନଥିବା ଗାଁ ଗୁଡିକୁ ଏହାଦ୍ୱାରା ସଂଯୋଗ କରାଯିବ। ବିଶେଷ କରି ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ କରିବା ପାଇଁ ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ସଚିବ। ରାଜ୍ୟର ‘ସେତୁ ବନ୍ଧ ଯୋଜନା’ର ଅବଧି ମଧ୍ୟ ୫ ବର୍ଷ ବୃଦ୍ଧି ପାଇଛି। ଯେଉଁଥିରେ ୩୧୬୭ଟି ପୁରୁଣା ସେତୁର ମରାମତି ଓ ନବୀକରଣ କରାଯିବ। ଅନ୍ୟପଟେ ସମବାୟ ବିଭାଗର ୧୯୫୬ ମସିହାର ପୁରୁଣା ଆଇନ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଆଜି ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି।










