ଭୁବନେଶ୍ୱର : ଭୂଦାନ ଜମି କାରବାରରେ ସରକାରଙ୍କ କଡ଼ା କଟକଣା । ଜମି ବଣ୍ଟନ ଓ ରେକର୍ଡରେ ନାଁ ଚଢ଼ାଇବା ପ୍ରକ୍ରିୟା ସ୍ଥଗିତ। ପୂର୍ବରୁ ରେକର୍ଡ ହୋଇଥିବା ଜମି ହସ୍ତାନ୍ତର ଉପରେ ବି ରୋକ୍ । ଭୂଦାନ ଜମି ବଣ୍ଟନରେ ଅନିୟମିତତା ଓ ଆଇନଗତ ଜଟିଳତା ରୋକିବା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ ଭୂଦାନ ଜମି ବଣ୍ଟନ ଏବଂ ହିତାଧିକାରୀଙ୍କ ନାମରେ ଜମି ରେକର୍ଡ କରିବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି । ସେହିପରି ପୂର୍ବରୁ ହିତାଧିକାରୀଙ୍କ ନାଁରେ ରେକର୍ଡ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତର କିମ୍ବା ପଞ୍ଜୀକରଣ କରାଯିବ ନାହିଁ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମସ୍ତ ଜିଲ୍ଲାପାଳ, ରେଭିନ୍ୟୁ ଡିଭିଜନାଲ କମିସନର, ରେଜିଷ୍ଟ୍ରେସନ୍ ମହାନିରୀକ୍ଷକ ଏବଂ ଭୂ-ଅଭିଲେଖ ଓ ସର୍ଭେ ନିର୍ଦ୍ଦେଶାଳୟକୁ ଚିଠି ଲେଖିଛି ।ବିଭାଗର କହିବା ଅନୁସାରେ, ଅନେକ କ୍ଷେତ୍ରରେ ନିର୍ଦ୍ଧାରିତ ସରକାରୀ ପ୍ରକ୍ରିୟା ମାନିବା ପରିବର୍ତ୍ତେ ଜମିର ପ୍ରକୃତ ସ୍ଥିତି ଓ ରେକର୍ଡ ଯାଞ୍ଚ ନକରି ଭୂଦାନ ଜମି ହିତାଧିକାରୀଙ୍କୁ ବଣ୍ଟନ କରାଯାଉଛି । ଏହାଫଳରେ ପରେ ଜମିକୁ ହିତାଧିକାରୀଙ୍କ ନାମରେ ରେକର୍ଡ କରିବା ସମୟରେ ବିଭିନ୍ନ ପ୍ରକାର ଆଇନଗତ ସମସ୍ୟା ସୃଷ୍ଟି ହେଉଛି । ଏହି ପରିସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଥିବା ଚିଠିରେ ଉଲ୍ଲେଖ ରହିଛି ।










