ନୂଆଦିଲ୍ଲୀ :କେବଳ କାନାଡାର ଟୋରୋଣ୍ଟୋ ନୁହେଁ, ବିଶ୍ୱର ଅନେକ ଦେଶରେ ଅ-ତିଥିରେ ରଥଯାତ୍ରା ପାଳନ କରାଯାଇଥିବା ଜଣାପଡ଼ିଛି । ଆମେରିକା, ଇଂଲଣ୍ଡ, ସ୍କଟଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ଏଭଳି ରଥଯାତ୍ରା ଆୟୋଜନ କରାଯାଇଛି । ସୂଚନା ଅନୁସାରେ, କାନାଡା ଓ ଆମେରିକାରେ ମଧ୍ୟ ୧୦ ଓ ୧୨ ତାରିଖରେ ସ୍ନାନଯାତ୍ରା ପାଳନ କରାଯାଇଥିଲା । ପରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜିତ ହୋଇଛି । କାନାଡାର ଟୋରୋଣ୍ଟୋ ଓ ଓଣ୍ଟାରିଓ, ଆମେରିକାର ନ୍ୟୁ ଜର୍ସି ଓ ଟୱାକୋ, ଇଂଲଣ୍ଡର ମିଲଟନ ଓ କେନିସ୍, ସ୍କଟଲାଣ୍ଡର ଗ୍ଲାସଗୋ, ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ, କ୍ୱିନ୍ସଲାଣ୍ଡ ଓ ନ୍ୟୁ ସାଉଥ ୱେଲ୍ସ ସହ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ମଧ୍ୟ ରଥଯାତ୍ରା ପାଳନ କରାଯାଇଛି ।ବିଦେଶରେ ରହୁଥିବା ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସହ ଯୋଡ଼ି ରହିବା ପାଇଁ ଏଭଳି ଧାର୍ମିକ ଆୟୋଜନ କରୁଥିବା ଦେଖାଯାଉଛି । ତେବେ ପୁରୀ ଶ୍ରୀମନ୍ଦିରର ନିର୍ଦ୍ଧାରିତ ତିଥି ଓ ପରମ୍ପରା ଅନୁସରଣକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରଥଯାତ୍ରା ଭଳି ଶତାବ୍ଦୀ ପୁରୁଣା ପରମ୍ପରାର ତିଥି ଓ ରୀତିନୀତିକୁ ନେଇ ଭକ୍ତ ଏବଂ ଧାର୍ମିକ ମହଲରେ ମତଭେଦ ଦେଖାଦେଇଛି ।










