* ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗଦାନ ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
* ବିଶୃଙ୍ଖଳା ଆଚରଣ ପାଇଁ ଦଳରୁ ବହିଷ୍କାର ହୋଇଥିଲେ।
ଭୁବନେଶ୍ୱର : ପୂର୍ବତନ ବିଜେଡି ବିଧାୟକ ଶ୍ରୀ ପ୍ରଭାତ ବିଶ୍ୱାଳ ଆଜି ତାଙ୍କ ସମର୍ଥକ ମାନଙ୍କ ସହିତ ବିଜେପିରେ ଯୋଗ ଦେଇଥିବା ବେଳେ ବିଜେଡି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିବା ପରେ ବିଜେପି ଚିଟଫଣ୍ଡ ଅଭିଯୁକ୍ତ ପ୍ରଭାତଙ୍କୁ ପାର୍ଟିରେ ସାମିଲ କରିବାକୁ ନେଇ କଟାକ୍ଷ କରିଛି।
ଶଙ୍ଖ ଭଵନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ ଲେନିନ ମହାନ୍ତି କହିଛନ୍ତି, ପ୍ରଭାତ ବିଶ୍ୱାଳ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ହେବା ପରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା। ଗତ କିଛି ମାସ ତଳେ ତାଙ୍କର ବିଶୃଙ୍ଖଳା ଆଚରଣ ଯୋଗୁ ତାଙ୍କୁ ଦଳରୁ ବହିଷ୍କାର କରା ଯାଇଥିଲା। ଏବେ ସେ ବିଜେପିରେ ଯୋଗ ଦେଇଛନ୍ତି। ଏହା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
ଡ ମହାନ୍ତି କହିଥିଲେ, ବିଜେପି ଗତ ନିର୍ବାଚନ ବେଳେ କ୍ଷମତାକୁ ଆସିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅଠର ମାସ ଭିତରେ ଟଙ୍କା ଫେରସ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ, ଟଙ୍କା ଫେରାଇବା କଥା ଦୂରେ ଥାଉ, ଏବେ ଜଣେ ଚିଟଫଣ୍ଡ ଅଭିଯୁକ୍ତ ନେତାଙ୍କୁ ନିଜ ଦଳରେ ସାମିଲ କରୁଛନ୍ତି। ଏହା ଓଡିଶାର ଅଗଣିତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପ୍ରତି ଉପହାସ। ଏହା ବିଜେପିର ନୈତିକ ମୂଲ୍ୟବୋଧକୁ ପ୍ରତିଫଳିତ କରୁଛି।










