28.9 C
Bhubaneswar
Saturday, July 11, 2026
Homeଓଡିଶାପୌରସଂସ୍ଥା ଓ ଉନ୍ନୟନ କର୍ତ୍ତୃପକ୍ଷମାନଙ୍କ ପାଇଁ କ୍ଷମତା ବିକାଶ କର୍ମଶାଳା ଆୟୋଜିତ

ପୌରସଂସ୍ଥା ଓ ଉନ୍ନୟନ କର୍ତ୍ତୃପକ୍ଷମାନଙ୍କ ପାଇଁ କ୍ଷମତା ବିକାଶ କର୍ମଶାଳା ଆୟୋଜିତ

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଅଧୀନରେ ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହୁଡକୋ ସହ ଓଡ଼ିଶାର ସହଭାଗିତା :
ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ସହରାଞ୍ଚଳ ସ୍ଥାନୀୟ ନିକାୟ (ULBs) ଓ ଉନ୍ନୟନ କର୍ତ୍ତୃପକ୍ଷମାନଙ୍କର ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଓ ହାଉସିଂ ଆଣ୍ଡ ଅର୍ବାନ ଡେଭେଲପମେଣ୍ଟ କର୍ପୋରେସନ୍ (HUDCO)ର ମିଳିତ ସହଯୋଗରେ ଆଜି ଏକ ଏକଦିବସୀୟ କ୍ଷମତା ବିକାଶ କର୍ମଶାଳା ଆୟୋଜିତ ହୋଇଛି।

କର୍ମଶାଳାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ରାଜ୍ୟ ସରକାର ସମସ୍ତ ସହରାଞ୍ଚଳ ସ୍ଥାନୀୟ ନିକାୟକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ପାଇଁ ‘ରାଜସ୍ୱ ମଡେଲ’ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହା ମାଧ୍ୟମରେ ULBମାନେ କେବଳ ସରକାରୀ ଅନୁଦାନ ଉପରେ ନିର୍ଭର ନରହି ନିଜସ୍ୱ ରାଜସ୍ୱ ସୃଷ୍ଟି କରି ନିଜ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ସୁଦୃଢ଼ କରିପାରିବେ। ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତିକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ଏବଂ ୨୦୪୭ର ‘ବିକଶିତ ଭାରତ’ ଲକ୍ଷ୍ୟ ପୂରଣରେ ଓଡ଼ିଶାକୁ ଏକ ପ୍ରମୁଖ ଗ୍ରୋଥ୍ ଇଞ୍ଜିନ୍ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ ପୌରସଂସ୍ଥାର ଅଧିକାରୀମାନଙ୍କୁ ସେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।

କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ କହିଥିଲେ ଯେ, ରାଜ୍ୟର ସହରାଞ୍ଚଳର ରୂପାନ୍ତରଣ ଦିଗରେ ଏହି କ୍ଷମତା ବିକାଶ କର୍ମଶାଳା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳ ସ୍ଥାନୀୟ ନିକାୟ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC)ଗୁଡ଼ିକୁ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଆବଶ୍ୟକ ଆର୍ଥିକ ସମ୍ବଳ ହାସଲ କରିବାରେ ସକ୍ଷମ କରିବା।

ସେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୧୫ ଏପ୍ରିଲ ୨୦୨୬ରେ ଆରମ୍ଭ ହୋଇଥିବା ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ (Urban Challenge Fund–UCF) ରାଜ୍ୟର ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି କରିଛି। ଏହି ଯୋଜନାରେ ଅନୁମୋଦିତ ପ୍ରକଳ୍ପ ମୂଲ୍ୟର ୨୫ ପ୍ରତିଶତ ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ମିଳିବା ସହିତ ଅନ୍ୟୂନ ୫୦ ପ୍ରତିଶତ ଅର୍ଥ ଋଣ, ମ୍ୟୁନିସିପାଲ ବଣ୍ଡ କିମ୍ବା ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍ (PPP) ମାଧ୍ୟମରେ ସଂଗ୍ରହ କରାଯିବ।

ବାକୁଠାରେ ଆୟୋଜିତ ୱାର୍ଲ୍ଡ ଅର୍ବାନ ଫୋରମ୍ ଅବସରରେ ଓଡ଼ିଶା ସରକାର ଓ HUDCO ମଧ୍ୟରେ ହୋଇଥିବା ସହଯୋଗୀତା ଚୁକ୍ତି ମାଧ୍ୟମରେ ରାଜ୍ୟର ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅର୍ଥାୟନ ଓ ପ୍ରସ୍ତୁତିକରଣକୁ ସୁଦୃଢ଼ କରାଯାଉଛି। ଏହି ସହଯୋଗ ଅନୁଯାୟୀ HUDCO ପ୍ରକଳ୍ପ ମୂଲ୍ୟାଙ୍କନ, ଆର୍ଥିକ ସଂରଚନା, ଋଣ ସଂଗ୍ରହ ଏବଂ Urban Invest Window (UiWIN) ମାଧ୍ୟମରେ ବ୍ୟାଙ୍କଯୋଗ୍ୟ ପ୍ରକଳ୍ପ ପ୍ରସ୍ତୁତିରେ ପ୍ରମୁଖ ସହଯୋଗୀ ଭାବେ କାର୍ଯ୍ୟ କରୁଛି।

ଓଡ଼ିଶା UCFର ପ୍ରଥମ ପର୍ଯ୍ୟାୟରେ ₹୪,୨୬୨ କୋଟି ମୂଲ୍ୟର ୧୨ଟି ପ୍ରକଳ୍ପ ନ୍ୟାସନାଲ ଆପେକ୍ସ କମିଟି ନିକଟରେ ଦାଖଲ କରିଛି। ଏଥିରେ ଡ୍ରେନେଜ୍ ବ୍ୟବସ୍ଥା, ସହରାଞ୍ଚଳ ପୁନଃବିକାଶ, ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ICCC), ପରିବହନ, ୱାଟରଫ୍ରଣ୍ଟ ବିକାଶ ଏବଂ ବର୍ଜ୍ୟଜଳ ପରିଚାଳନା ଭଳି ପ୍ରାଥମିକତା କ୍ଷେତ୍ରଗୁଡ଼ିକ ସାମିଲ ରହିଛି।

ନ୍ୟାସନାଲ ଆପେକ୍ସ କମିଟି ଦ୍ୱାରା ରାଜ୍ୟର ଚାରିଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକର ମୋଟ ବଜେଟ୍ ₹୨,୮୦୧ କୋଟି, ଗ୍ରହଣଯୋଗ୍ୟ ପ୍ରକଳ୍ପ ମୂଲ୍ୟ ₹୨,୦୩୩.୨୬ କୋଟି ଏବଂ ସ୍ୱୀକୃତ କେନ୍ଦ୍ରୀୟ ସହାୟତା ₹୫୨୯.୮୧ କୋଟି। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ହେଲା—

ସମ୍ବଲପୁର ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ୍
ସମ୍ବଲପୁର ICCC
ବ୍ରହ୍ମପୁର ICCC
ଭୁବନେଶ୍ୱର ଟାଉନ୍ ସେଣ୍ଟର ଓ ନିକୋ ପାର୍କ ଲେକ୍ ଜୋନ୍ ବିକାଶ

ଏହି ପ୍ରକଳ୍ପଗୁଡ଼ିକର ରୂପାୟନ ପାଇଁ କେନ୍ଦ୍ରୀୟ ସହାୟତା ସହିତ ₹୬୩୨ କୋଟି ଋଣ ଅର୍ଥାୟନ, ₹୭୧ କୋଟି PPP ନିବେଶ ଏବଂ ₹୯୨୪.୧୯ କୋଟି ରାଜ୍ୟ ସରକାରଙ୍କ ଅଂଶୀଦାରି ଆବଶ୍ୟକ ହେବ। ଏହା ସମ୍ବଲପୁର ଓ ବ୍ରହ୍ମପୁରର ସହରାଞ୍ଚଳ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

କର୍ମଶାଳାରେ HUDCO, ବିଶ୍ୱ ବ୍ୟାଙ୍କ, ଜନଗ୍ରହ, Deloitte, Powertech Infrastructure, iDECK, AKS Consultancy ଏବଂ ବଡୋଦରା ମହାନଗର ନିଗମର ବିଶେଷଜ୍ଞମାନେ ଯୋଗଦେଇ UCF ଯୋଗ୍ୟତା, ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତି, ମ୍ୟୁନିସିପାଲ ଫାଇନାନ୍ସ, ମ୍ୟୁନିସିପାଲ ବଣ୍ଡ, PPP ମଡେଲ୍ ଏବଂ ପ୍ରକଳ୍ପ ଅର୍ଥାୟନ ସମ୍ପର୍କିତ ବିଭିନ୍ନ ବୈଷୟିକ ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶେଷ ପର୍ଯ୍ୟାୟରେ HUDCOର ବିଶେଷଜ୍ଞ ଦଳ ପ୍ରକଳ୍ପ ମେଣ୍ଟରସିପ୍ ଓ ଟେବୁଲ କନସଲଟେସନ୍ ମାଧ୍ୟମରେ ULBମାନଙ୍କ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଥିଲେ।

ଏହି କର୍ମଶାଳାରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ଚଞ୍ଚଳ ରାଣା, IAS, କଟକ ମହାନଗର ନିଗମ କମିଶନର ଶ୍ରୀମତୀ କିରଣଦୀପ କୌର ସାହୋଟା, IAS, HUDCOର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁଲଶ୍ରେଷ୍ଠ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆଙ୍କ ସମେତ HUDCO, ବିଶ୍ୱ ବ୍ୟାଙ୍କ, iDECK, Deloitte, AKS Consultancy, ବଡୋଦରା ମହାନଗର ନିଗମ ଏବଂ ବିଭିନ୍ନ ପୌରସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking