29.6 C
Bhubaneswar
Friday, July 10, 2026
Homeଓଡିଶାନବୀନ ପଟ୍ଟନାୟକଙ୍କ ଡିପ୍ଫେକ୍ ଭିଡିଓ ମାମଲା: ‘ସୋସିଆଲ ଟକ୍’ ନାମରେ ବିଜେଡି ପକ୍ଷରୁ ଥାନାରେ...

ନବୀନ ପଟ୍ଟନାୟକଙ୍କ ଡିପ୍ଫେକ୍ ଭିଡିଓ ମାମଲା: ‘ସୋସିଆଲ ଟକ୍’ ନାମରେ ବିଜେଡି ପକ୍ଷରୁ ଥାନାରେ ଏତଲା

ଭୁବନେଶ୍ୱର: ବିଜେପି ସରକାରର ଅପାରଗତା ପାଇଁ ସବୁଠି ସମାଲୋଚିତ ହେଉଥିଲା ବେଳେ ବିଜେପି ପ୍ରୋତ୍ସାହନରେ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ଭ୍ରମାତ୍ମକ ଭିଡିଓ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ‘ସୋସିଆଲ ଟକ୍’ ନାମକ ଏକ ପେଜ୍ରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧି ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଡିପଫେକ୍ ଭିଡିଓ ଅପଲୋଡ଼ ହେଉଛି । ଉକ୍ତ ଭ୍ରମାତ୍ମକ ଭିଡିଓକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବିରେ କ୍ୟାପିଟାଲ୍ ଥାନାରେ ଆଜି ଛାତ୍ର ବିଜେଡି ପକ୍ଷରୁ ଏତଲା ଦାୟର କରାଯାଇଛି । ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ପୂର୍ବତନ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ଙ୍କୁ ଲକ୍ଷ୍ୟ କରି ଏଆଇ ଜରିଆରେ ଡିପଫେକ୍ ଭିଡିଓ ପ୍ରସ୍ତୁତ ହୋଇଛି । ଉକ୍ତ ଭିଡ଼ିଓକୁ ଜୁଲାଇ ୯ ତାରିଖରେ ଅଭିଯୁକ୍ତ ପ୍ରୀତି ପ୍ରକାଶ ନାୟକ ତାଙ୍କର ‘ସୋସିଆଲ ଟକ୍’ ନାମକ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ କରିଥିଲେ । ଏଥିରେ ବାରମ୍ୱାର ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଛି ।

ଏହା ସହିତ ଭିଡିଓରେ ଏକ ଏଆଇ ଜେନେରେଟେଡ୍ ଡିପଫେକ୍ ଛବି ବ୍ୟବହାର କରାଯାଇଛି । ଏହି ଛବିଟି ସମ୍ପୂର୍ଣ୍ଣ ଭାବେ ହୀନ ମାନସିକତାର ପରିଚୟ ବୋଲି ଅଭିଯୋଗ ହୋଇଛି ।ବିଜେପି ସରକାର ଦୁଇ ବର୍ଷ ହେବ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରି ନପାରି ସବୁଠି ନିନ୍ଦିତ ହେଉଛି । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବନ୍ଦିତ ଅଟନ୍ତି । ବିଜେପି ଦଳ ଅସହିଷ୍ଣୁ ହୋଇ ଏହିପରି କାର୍ଯ୍ୟ କରୁଛନ୍ତି । ଏହା ଜନସାଧାରଣଙ୍କ ମନରେ ଭ୍ରାନ୍ତି ସୃଷ୍ଟି କରିବା ଏବଂ ବ୍ୟକ୍ତିଗତ ସମ୍ମାନରେ ଆଞ୍ଚ ଆଣିବା ଉଦେ୍ଦଶ୍ୟରେ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପ୍ରୀତି ପ୍ରକାଶ ନାୟକ ପୂର୍ବରୁ ମଧ୍ୟ ଏଭଳି ଡିଫାମେଟରି କଣ୍ଟେଣ୍ଟ୍ ପାଇଁ ବିଭାଗୀୟ ମାମଲା (କେସ୍ ନମ୍ୱର ୧୪୬/୨୦୨୩) ସମ୍ମୁଖୀନ ହୋଇଛନ୍ତି । ବିଜେପି ସମର୍ଥନରେ ସୋସିଆଲ ମିଡିଆରେ ସେ ଏହିପରି କାର୍ଯ୍ୟ ଅଭ୍ୟାସଗତ ଭାବେ ବାରାମ୍ବାର କରୁଛନ୍ତି । ଭୂକମ୍ପ ପ୍ରଭାବିତ ଭେନିଜୁଏଲା ଅଞ୍ଚଳକୁ ଭି କେ ପାଣ୍ଡିଆନ ପରିଦର୍ଶନକୁ ବିଦ୍ରୂପ ଭାବେ ଉପସ୍ଥାପନ କରାଯାଇଛି । ଆକ୍ରୋଶ ମୂଳକ ଭାବେ ଅପଶବ୍ଦ ପ୍ରୟୋଗ କରି ତାଙ୍କ ସମ୍ମାନ ନଷ୍ଟ କରିବାକୁ ପ୍ରୟାସ କରାଯାଇଛି । ସେ ନିଜ ଇଚ୍ଛାକୃତ ଭାବେ ମିଥ୍ୟା ସୂଚନା ଏବଂ କୃତ୍ରିମ ବିଷୟବସ୍ତୁ ପ୍ରଚାର କରୁଛନ୍ତି । ଏହାକୁ ପ୍ରଚାର ପ୍ରସାର ପାଇଁ ଭିଡିଓ ପ୍ରସ୍ତୁତକାରି, ସେୟାର, ରି-ପୋଷ୍ଟ କିମ୍ୱା ଅନ୍ୟ ଭାବେ ପ୍ରଚାର କରିଥିବା ଅନ୍ୟ କୌଣସି ବ୍ୟକ୍ତି, ପେଜ୍ କିମ୍ୱା ଆକାଉଣ୍ଟ୍ ମଧ୍ୟ ସମାନ ଭାବେ ଦାୟୀ ଅଟନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଡିପଫେକ୍ ଭିଡିଓ କରି ସୋସିଆଲ ମିଡିଆରେ ପ୍ରଚାର କରିବାରୁ ଜଣକୁ ଗିରଫ କରାଯାଇଛି । ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବାରୁ ତୁରନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଡିପଫେକ୍ ଭିଡିଓ କରିଥିବା ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରାଯାଇଛି । ଅଭିଯୁକ୍ତ ପ୍ରୀତି ପ୍ରକାଶ ନାୟକଙ୍କ ବିରୋଧରେ ମାମଲା ରୁଜୁ କରି, ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଜବତ କରି ପରୀକ୍ଷଣ କରିବା, ଉକ୍ତ ଭିଡିଓକୁ ଅପସାରଣ କରିବା, ଅଭିଯୁକ୍ତଙ୍କ ବିରୁଦ୍ଧରେ ତଦନ୍ତ କରି ପ୍ରଚାର କରିଥିବା ଅନ୍ୟ ଆକାଉଣ୍ଟ୍ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି । ଅଭିଯୋଗ ପତ୍ର ପ୍ରଦାନ ବେଳେ ବିଜେଡିର ଏହି ଟିମ୍ରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ତୁମ୍ୱନାଥ ପଣ୍ଡା, ସ୍ନେହାଶିଷ ଜେନା, ଏମ୍.ଡି. ସହିଦୁଲ୍ଲା, ପ୍ରତୀକ ଦାଶ, ଶୁଭମ ସୁଭଦର୍ଶୀ ଖଟୁଆ, ମଳୟ ସାହୁ, ପ୍ରତୁ୍ୟଷ ଜେନା, ଚିତ୍ତରଞ୍ଜନ ଦାସ, ଦୀପକ ହୋତା, ପ୍ରିୟାଂଶୁ ସାହୁ, ଇସ୍କନ ନାୟକ ଓ ଆଶୁତୋଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking