ଭୁବନେଶ୍ୱର: ରାଜ୍ୟରେ ବୈଧ ଫିଟ୍ନେସ୍ ସାର୍ଟିଫିକେଟ୍ ବିନା ଚଳାଚଳ କରୁଥିବା ବାଣିଜ୍ୟିକ ଗାଡ଼ି ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛି ପରିବହନ ବିଭାଗ । ଏଣିକି କେବଳ ଇ-ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ, ବରଂ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିକୁ ସିଧାସଳଖ ଜବତ କରାଯିବ । ପରିବହନ କମିଶନର ରାଜ୍ୟର ସମସ୍ତ ଆର୍ଟିଓ, ଅତିରିକ୍ତ ଆର୍ଟିଓ ଏବଂ ଉପ-ପରିବହନ କମିଶନରଙ୍କୁ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ବିଶେଷକରି ବୈଧ ଫିଟ୍ନେସ୍ ସାର୍ଟିଫିକେଟ୍, ପଞ୍ଜୀକରଣ କିମ୍ବା ଅନ୍ୟାନ୍ୟ ଆବଶ୍ୟକ ଦସ୍ତାବିଜ ବିନା ଚଳାଚଳ କରୁଥିବା ବାଣିଜ୍ୟିକ ଗାଡ଼ି ଉପରେ ଏବେ କଠୋର ନଜର ରହିବ । ରାଜ୍ୟର ବିଭିନ୍ନ ଟୋଲ୍ ଗେଟ୍ ଓ ରାଜପଥରେ ଜୋରଦାର ଯାଞ୍ଚ ଆରମ୍ଭ ହୋଇଛି । ଯେଉଁ ଗାଡ଼ିର ଫିଟ୍ନେସ୍ ସାର୍ଟିଫିକେଟ୍ କିମ୍ବା ପଞ୍ଜୀକରଣ ବୈଧ ନଥିବ, ସେଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରିବହନ ବିଭାଗ ସ୍ପଷ୍ଟ କରିଛି ଯେ, ବାରମ୍ବାର ଫିଟ୍ନେସ୍ ସାର୍ଟିଫିକେଟ୍ ବିନା ଧରାପଡ଼ୁଥିବା ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର (RC) ନିଲମ୍ବନ କିମ୍ବା ବାତିଲ୍ କରାଯାଇପାରେ । ସେହିପରି ଆବଶ୍ୟକ ହେଲେ ଗାଡ଼ିର ପରମିଟ୍ ମଧ୍ୟ ରଦ୍ଦ କରାଯିବ । ସଡ଼କ ସୁରକ୍ଷାକୁ ଦୃଢ଼ କରିବା ଏବଂ ଅଯୋଗ୍ୟ ଯାନବାହନକୁ ରାଜପଥରୁ ହଟାଇବା ଲକ୍ଷ୍ୟରେ ପରିବହନ ବିଭାଗର ଏହି କଡ଼ା ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।










