ଭୁବନେଶ୍ୱର: ରାଜ୍ୟରେ ଶକ୍ତିକ୍ଷେତ୍ର ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାର ପ୍ରଦତ୍ତ ଘର ସହ ପ୍ରଧାମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ସମନ୍ବିତ କରାଯିବ। ଏହାଦ୍ବାରା ଘରର ବିଦ୍ୟୁତ୍ ବ୍ୟବହାର ଉପରେ ନିର୍ଭରତା ହ୍ରାସ ପାଇବ। ଆଜିର ଏହି ବୈଠକରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବୈଠକର ଅଧ୍ୟକ୍ଷତା କରିଥିଲେ। ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଦୀର୍ଘ ଆଲୋଚନା ହୋଇଥିଲା। ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଓ ୟୁଟିଲିଟି ଲେଡ୍ ଆଗ୍ରିଗେସନ ମଡେଲ୍ ର କାର୍ଯ୍ୟାନ୍ୱୟନର ମଧ୍ୟ ସମୀକ୍ଷା କରାଯାଇଥିଲା। ନବୀକରଣୀୟ ଶକ୍ତି ଏବଂ ସୁଲଭ ଗୃହ ନିର୍ମାଣ ଉପରେ ଗୁରୁତ୍ୱ ଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ କହିଛନ୍ତି, ପିଏମ୍-ସୂର୍ଯ୍ୟ ଘର ଯୋଜନାକୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଯଥା ପିଏମ-ଆବାସ ଯୋଜନା ସହ ସଂଯୋଜନ କରାଯିବ। ଏହା ସେମାନଙ୍କ ଇଚ୍ଛାଧୀନ ରହିବ। ଆମର ଲକ୍ଷ୍ୟ ହେଉଛି ପିଏମ୍ ଆବାସ ଏବଂ ଅନ୍ୟାନ୍ୟ ଗୃହ ଯୋଜନାର ପ୍ରତ୍ୟେକ ହିତାଧିକାରୀ ମଧ୍ୟ ସୌର ଶକ୍ତିର ସୁବିଧା ପାଇପାରନ୍ତୁ। ରାଜ୍ୟ ଗୃହ ଯୋଜନା ସହ ପିଏମ୍-ସୂର୍ଯ୍ୟ ଘରକୁ ସଂଯୋଜନ କରି ଆମେ ଲୋକଙ୍କୁ ୨୪ ଘଣ୍ଟିଆ ପରିଷ୍କାର ଏବଂ ସୁଲଭ ବିଜୁଳି ଯୋଗାଇ ଦେବା ସହ ସେମାନଙ୍କ ବିଜୁଳି ବିଲ୍ ମଧ୍ୟ ହ୍ରାସ କରିବ।ଏହି ଯୋଜନା ଅଧୀନରେ ସହରାଞ୍ଚଳରେ ୧ କିଲୋ ୱାଟ ବିଶିଷ୍ଟ ଛାତ ଉପର ସୌର ଶକ୍ତି ପ୍ୟାନେଲ ସ୍ଥାପନ ପାଇଁ କେନ୍ଦ୍ରରୁ ୩୦୦୦୦ ଟଙ୍କା ଏବଂ ରାଜ୍ୟରୁ ୨୫୦୦୦ ଟଙ୍କା ସବସିଡି ସହାୟତା ଦିଆଯାଉଛି। ହିତାଧିକାରୀଙ୍କୁ ମାତ୍ର ₹୧୮୭୫ ଟଙ୍କା ବ୍ୟୟରେ ଏହି ସୁବିଧା ମିଳିବ।










