28.7 C
Bhubaneswar
Tuesday, July 7, 2026
Homeଓଡିଶାସଂସ୍କୃତ ବିଦ୍ୱାନମାନେ ଏଆଇ-ଚାଳିତ ନବସୃଜନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ସଂସ୍କୃତ ବିଦ୍ୱାନମାନେ ଏଆଇ-ଚାଳିତ ନବସୃଜନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ସଂସ୍କୃତ ବିଦ୍ୱାନମାନେ ଏଆଇ-ଚାଳିତ ନବସୃଜନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି I ମଙ୍ଗଳବାର ଦିନ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି I ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ଭାରତର ସମୃଦ୍ଧ ଜ୍ଞାନ ଐତିହ୍ୟକୁ ସଂରକ୍ଷଣ କରିବା ସହିତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଡିଜିଟାଲ୍ ପ୍ରଯୁକ୍ତି ଏବଂ ବୈଜ୍ଞାନିକ ଗବେଷଣାରେ ନବସୃଜନ ଆଣିବା ପାଇଁ ସଂସ୍କୃତର ସମ୍ଭାବନାକୁ ଉପଯୋଗ କରିବାକୁ ପ୍ରୋତ୍ସାହିତ କରିଥିଲେ। ଏଥି ସହିତ ଛାତ୍ରଛାତ୍ରୀମାନେ ପ୍ରାଚୀନ ପାଣ୍ଡୁଲିପି ଗବେଷକ, ଡିଜିଟାଲ୍ ଅଭିଲେଖର ଉଦ୍ଭାବକ , ଏଆଇ ବିଶେଷଜ୍ଞ, ପାରମ୍ପରିକ ବିଜ୍ଞାନରେ ବିଦ୍ୱାନ ଏବଂ ସାଂସ୍କୃତିକ ଦୂତ ଭାବରେ ନିଜକୁ ଗଢ଼ି ତୋଳିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ, ହଜାର ହଜାର ଅମୂଲ୍ୟ ସଂସ୍କୃତ ପାଣ୍ଡୁଲିପି ଏପର୍ଯ୍ୟନ୍ତ ଅଧ୍ୟୟନ, ସଂରକ୍ଷଣ, ଡିଜିଟାଇଜେସନ୍ ଏବଂ ଅନୁବାଦ ହୋଇନାହିଁ। ଏଗୁଡ଼ିକ ବିଶ୍ୱର ଉପକାର ପାଇଁ ବିଶାଳ ଜ୍ଞାନ ଭଣ୍ଡାର ଅଟେ। ସଂସ୍କୃତକୁ କେବଳ ପ୍ରାଚୀନ ନୁହେଁ ବରଂ ଏକ “ଶାଶ୍ୱତ ଭାଷା” ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ, ଏହାର ବୈଜ୍ଞାନିକ ସଠିକତା, ଯୁକ୍ତିଯୁକ୍ତ ସଂରଚନା ଏବଂ ବ୍ୟାକରଣଗତ ଉତ୍କର୍ଷତା, ଭାଷାଭିତ୍ତିକ ଗଣନା ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣର ବିରାଟ ସମ୍ଭାବନା ରଖିଛି। ଏ ଦିଗରେ ଯୁବ ବିଦ୍ୱାନମାନଙ୍କୁ ଭାରତର ପ୍ରାଚୀନ ଜ୍ଞାନକୁ ଆଧୁନିକ ବିଜ୍ଞାନ ସହିତ ସମିଶ୍ରଣ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଏହା ଦ୍ୱାରା ପରବର୍ତ୍ତୀ ପ୍ରଯୁକ୍ତିବିଦ୍ୟାର ସଫଳତା ମିଳିପାରିବ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ।

ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ, ଗତ ୪୬ ବର୍ଷ ଧରି ଏହି ବିଶ୍ୱବିଦ୍ୟାଳୟ ବିଶ୍ୱର ସର୍ବପ୍ରାଚୀନ ଜ୍ଞାନ ପରମ୍ପରାକୁ ସଂରକ୍ଷଣ ଓ ପ୍ରଚାର-ପ୍ରସାର କରିବାରେ ପ୍ରଶଂସନୀୟ ଅବଦାନ ରଖିଛି। ଓଡ଼ିଶାର ସଭ୍ୟତାଗତ ଐତିହ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ କୈନ୍ଦ୍ରିକ ଏବଂ ଏହା ସମାନତା, ଅନ୍ତର୍ଭୁକ୍ତି ଏବଂ ବିଶ୍ୱ ଭ୍ରାତୃତ୍ୱର ଆଦର୍ଶକୁ ପ୍ରତିଫଳିତ କରେ ଯାହା ବିଶ୍ୱବିଦ୍ୟାଳୟକୁ ଏହି ଐତିହ୍ୟର ଉପଯୁକ୍ତ ସଂରକ୍ଷକ ଭାବେ ଗଢ଼ିଛି । ସଂସ୍କୃତର ସମକାଳୀନ ପ୍ରାସଙ୍ଗିକତା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ପ୍ରାଚୀନ ଗ୍ରନ୍ଥଗୁଡ଼ିକ ପରିବେଶ ସଂରକ୍ଷଣ, ସ୍ଥାୟୀ ଜୀବନ ଏବଂ ମାନସିକ ସୁସ୍ଥତା ଉପରେ ବ୍ୟବହାରିକ ମାର୍ଗଦର୍ଶନ ପ୍ରଦାନ କରେ। ସଂସ୍କୃତ ଶିକ୍ଷା ଏକାଗ୍ରତା, ଭାବନାତ୍ମକ ସ୍ଥିରତା ଏବଂ ଆନ୍ତରିକ ଶାନ୍ତି ପୋଷଣ କରେ ଯାହା ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ଅତ୍ୟନ୍ତ ଜରୁରୀ।

ମୂଲ୍ୟବୋଧ ଆଧାରିତ ନେତୃତ୍ୱ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ଭାରତୀୟ ଶାସ୍ତ୍ରୀୟ ଗ୍ରନ୍ଥଗୁଡ଼ିକ କର୍ତ୍ତବ୍ୟ, ସାଧୁତା ଏବଂ କରୁଣାକୁ ପ୍ରୋତ୍ସାହିତ କରି ଆସିଛି। ‘ବିକଶିତ ଭାରତ @୨୦୪୭’ ଦୃଷ୍ଟିକୋଣ ଉପରେ ଉଲ୍ଲେଖ କରି ଛାତ୍ରଛାତ୍ରୀମାନଙ୍କୁ ପରମ୍ପରା ସହିତ ପ୍ରଯୁକ୍ତି, ଐତିହ୍ୟ ସହିତ ନବସୃଜନ ଏବଂ ଜ୍ଞାନ ସହିତ ଚରିତ୍ରର ସମନ୍ୱୟ ଘଟାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। ଶାଶ୍ୱତ ଜ୍ଞାନ ଦ୍ୱାରା ଆଧୁନିକ ଯୁଗର ସମସ୍ୟାକୁ ସମାଧାନରେ ପରିଣତ କରିପାରିଥିବା ବ୍ୟକ୍ତି ହିଁ ଭବିଷ୍ୟତ ଗଢିବେ ବୋଲି ରାଜ୍ୟପାଳ କହିଥିଲେ। ଏହି ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରେଜିଷ୍ଟ୍ରାର ଶ୍ରୀମତୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ୨୦୨୫-୨୬ ବର୍ଷର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ପିଜି କାଉନ୍ସିଲ ଅଧ୍ୟକ୍ଷ ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ, ପ୍ରାକ୍ତନ ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking