27.8 C
Bhubaneswar
Monday, July 6, 2026
Homeଓଡିଶାଜେଏସ ଡବ୍ଲୁ / ପୋସ୍କୋ ପ୍ରେମରେ ମୋହନ ସରକାର, ଆଦିବାସୀଙ୍କ ସ୍ୱାର୍ଥ ପଦଦଳିତ - ଯୁବ...

ଜେଏସ ଡବ୍ଲୁ / ପୋସ୍କୋ ପ୍ରେମରେ ମୋହନ ସରକାର, ଆଦିବାସୀଙ୍କ ସ୍ୱାର୍ଥ ପଦଦଳିତ – ଯୁବ କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ ଶିଳ୍ପାୟନ ନାମରେ ମୋହନ ସରକାର ଆଦିବାସୀ, ଦଳିତ, ଓବିସି ଓ ବନବାସୀ ମାନଙ୍କର ସର୍ବସ୍ୱାନ୍ତ କରିବାକୁ ଚକ୍ରାନ୍ତ କରିଛନ୍ତି ଆଦିବାସୀ ଅଦ୍ୟୁଷିତ ଅଞ୍ଚଳରେ ବିକାଶ ତ ହେଉନାହିଁ କି ସେମାନଙ୍କର ସମସ୍ୟାର ସମାଧାନ ହେଉନାହିଁ, ମାତ୍ର ସେ ଅଞ୍ଚଳରେ ଦୃତ ଖଣି ଖନନ ଓ ଶିଳ୍ପାୟନ କରି ସେମାନଙ୍କର ଜୀବିକା, ପୈତୃକ ସମ୍ପତ୍ତି ବାସସ୍ଥାନ ସେମାନଙ୍କ ଠାରୁ ଜୋର ଜବରଦସ୍ତ ଛଡ଼ାଇ ନିଆଯାଉଛି । ସେମାନଙ୍କୁ ଅମାନୁଷିକ ଆକ୍ରମଣ କରି ଲହୁଲୁହାଣ କରାଯାଉଛି, ହତ୍ୟା କରାଯାଉଛି ଓ ସେମାନଙ୍କ ନାମରେ ମିଥ୍ୟା ମୋକଦ୍ଦମା ଜୋଡ଼ି ଦିଆଯାଉଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଦିବାସୀ ଏବଂ ଓଡ଼ିଶାର ଆଦିବାସୀ ମହିଳା ଭାରତର ରାଷ୍ଟ୍ରପତି ହୋଇଥିଲେ ବି ଓଡ଼ିଶାର ଆଦିବାସୀ ଓ ବନବାସୀ ସବୁଠାରୁ ଲୁଣ୍ଠିତ ଓ ଅତ୍ୟାଚାରିତ ।
ଆମେ ଏଠି କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକରେ କିପରି ଆଦିବାସୀ, ଦଳିତ ଓ ବନବାସୀଙ୍କୁ ଶିଳ୍ପାୟନ ନାମରେ ଅତ୍ୟାଚାର କରାଯାଉଛି ତାର ଚିତ୍ର ପ୍ରଦାନ କରୁଛୁ । ପୂର୍ବ ସରକାରରେ ପାଟଣା ବ୍ଲକରେ ମିତଲ ଷ୍ଟିଲପ୍ଲାଂଟ ସ୍ଥାପନ ହେବାପାଇଁ ସମସ୍ତ ବ୍ୟବସ୍ଥା କରୁଥିବା ସତ୍ୱେ ପାଟଣା ଓ କେନ୍ଦୁଝର ଜିଲ୍ଲାର ଲୋକଙ୍କ ଦୃଢ଼ ପ୍ରତିବାଦ ଯୋଗୁଁ ମିତଲ ୨୦୧୩ ମସିହାରେ ତାର ନିଷ୍ପତ୍ତିରୁ ଓହରି ଯାଇଥିଲା । ମାତ୍ର ଏବେ ମୋହନ ସରକାର ପାଟଣା ବ୍ଲକର ଯମୁନାପସି ଓ ଚେମଣା ପଞ୍ଚାୟତର ୧୪୬୫ ଏକର ୯୨ ଡିସିମିଲ ଜାଗା ନେଇ ଜେଏସଡବ୍ଲୁ / ପସ୍କୋ ର ଷ୍ଟିଲପ୍ଲାଂଟ ସ୍ଥାପନ କରିବାପାଇଁ ଯୋଜନା କରିଛି । ଏବେ ଶୁଣିବାକୁ ମିଳୁଛି ସେହି ଅଞ୍ଚଳର ୯୯ ଏକର ଜମି ସରକାର ଆମ ଅଜଣାତରେ କାଗଜପତ୍ରରେ କମ୍ପାନୀକୁ ଦେଇ ସାରିଲେଣି । ଯେଉଁ ଦୁଇଟି ପଞ୍ଚାୟତକୁ ନେଇ ଏହି କମ୍ପାନୀ ପ୍ରତିଷ୍ଠା ହେବ ସେଠାରେ ପାଖାପାଖି ୧୫ ହଜାର ଅଧିବାସୀ ପ୍ରଭାବିତ ହେବେ । ସଠିକ ଭାବେ ଗ୍ରାମସଭା କରାଯାଉ ନାହିଁ । ସେଠିକାର ଅଧିବାସୀମାନଙ୍କର ସ୍ୱାର୍ଥ ଓ ଅଧିକାରକୁ ପଦଦଳିତ କରି କମ୍ପାନୀ ପ୍ରତିଷ୍ଠା କରିବାପାଇଁ ସିଦ୍ଧାନ୍ତ କରାଯାଇଛି ।

ଏହି ପ୍ରରିପ୍ରେକ୍ଷୀରେ ପିସିସି ସାଧାରଣ ସମ୍ପାଦକ ୟାସିର ନୱାଜ କହିଲେ ଯେ –
ମୋହନ ସରକାରରେ ଆଦିବାସୀମାନେ ସବୁଠାରୁ ଅଧିକ ଅତ୍ୟାଚାରିତ ହେଉଛନ୍ତି । ପାଟଣାଗଡ଼ ବ୍ଲକର ଯମୁନାପସି ପଞ୍ଚାୟତର ଯମୁନାପସି, କୋଡ଼ଖମଣ, ଗୋଡ଼ି ପୋଖରୀ, ବରୁନିପସି ଏବଂ ଚେମଣା ପଞ୍ଚାୟତର ଅଙ୍ଗିକଳା, ଚିଲିଦା, ରେଙ୍ଗାଳବେଡା, ଚେମଣା, ବାରଡାଙ୍ଗୁଆ, ଧର୍ନୁଞ୍ଜୟପୁର, ଭୃଙ୍ଗରାଜପସି, ବଳିଆପସି ପ୍ରଭୃତି ୧୨ଟି ଗ୍ରାମ ଏହି କମ୍ପାନୀ ହେଲେ ମରୁଭୂମିରେ ପରିଣତ ହେବ । ଏହି କମ୍ପାନୀ ପ୍ରତିଷ୍ଠା ହେଲେ ଗ୍ରାମ୍ୟ ଜଙ୍ଗଲ, ଜଳାଶୟ, ଜଙ୍ଗଲ, ଝରଣା, ସ୍ମଶାନ, ଗୋଚର, ଖେଳପଡ଼ିଆ, ମନ୍ଦିର ଓ ଗ୍ରାମ୍ୟ ଠାକୁରାଣୀ ପ୍ରଭୃତି ଧ୍ୱଂସ ହୋଇଯିବ । ବିଶେଷ କରି ଏଠିକାର ସୁନ୍ଦର ପରିବେଶ, ଉର୍ବର ଚାଷଜମି, ଘରବାଡ଼ି ଓ ଲୋକଙ୍କର ଜୀବିକା, ପରମ୍ପରା ଓ ସ୍ୱାଭିମାନ, ଧର୍ମୀୟ ଅନୁଷ୍ଠାନ ଓ ଭାବନ ସବୁକିଛି କମ୍ପାନୀ ଛଡ଼େଇ ନେବ ଏବଂ ଧ୍ୱଂସ କରିଦେବ । ଏହି ୧୨ ଟି ଗ୍ରାମରେ ୭୦ ପ୍ରତିଶତ ଲୋକ ଆଦିବାସୀ ଏବଂ ଏଠାରେ ଗଣ୍ଡ, ବାଥୁଡ଼ି, କୋହ୍ଲ, ଭୂୟାଁ ଓ ସାଉଁଟି ସମ୍ପ୍ରଦାୟର ଲୋକ ରହୁଛନ୍ତି । ବାକି ଲୋକମାନେ ପଛୁଆବର୍ଗର ଅଟନ୍ତି । ମୋହନ ସରାକର କମ୍ପାନୀ ପ୍ରେମରେ ସେଠିକାର ଆଦିବାସୀଙ୍କ ତଣ୍ଟିରେ ଖୋଜ ପକାଇବାପାଇଁ ଚକ୍ରାନ୍ତ କରିଛନ୍ତି । ପେସା ଆଇନ ଲାଗୁ କରାଯାଇ ତୁରନ୍ତ ଆଦିବାସୀ ଓ ବନବାସୀମାନଙ୍କର ଅଧିକାର ଓ ସ୍ୱାର୍ଥକୁ ସୁରକ୍ଷା ଦିଆଯାଉ ।

ଏଠିକାର ଅଧିବାସୀମାନେ କମ୍ପାନୀ ପ୍ରତିଷ୍ଠାକୁ ତୀବ୍ର ବିରୋଧ କରୁଥିବାରୁ ବିନା କାରଣରେ ପୋଲିସ ଓ ପ୍ରଶାସନ ସେମାନଙ୍କ ନାମରେ ମିଥ୍ୟା ମାମଲା ଯୋଡ଼ିବା ସହ ଆନ୍ଦୋଳନକାରୀଙ୍କ ଉପରେ ନିର୍ମମ ଲାଠି ଚାର୍ଜ କରିଛି । କିଛି ଅନ୍ଦୋଳକାରୀ ମଧ୍ୟ ଜେଲ ଦଣ୍ଡ ଭୋଗିଛନ୍ତି । କମ୍ପାନୀ ପ୍ରତିଷ୍ଠା ପାଇଁ ଯେଉଁ ବିଧିବ୍ୟବସ୍ଥା ରହିଛି ତଦନୁଯାୟୀ ପ୍ରଥମେ ଗ୍ରାମସଭା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨ ଟି ଗ୍ରାମକୁ ଛାଡ଼ିଦେଲେ ଅନ୍ୟ ୧୦ ଟି ଗ୍ରାମରେ ଗ୍ରାମସଭା ହୋଇସାରିଛି । ବହୁ ଗ୍ରାମବାସୀଙ୍କର ବିରୋଧ ସତ୍ୱେ ବାହାରୁ ଲୋକ ଆଣି ପୋଲିସ ଛାଉଣି କରି ଗ୍ରାମସଭାରେ ବସାଇ ଗ୍ରାମସଭାକୁ ସଫଳ କରାଯାଇଛି ବୋଲି ପ୍ରଶାସନ ମିଥ୍ୟା ପ୍ରଚାର କରୁଛନ୍ତି । ଗୋଟିଏ ଗାଁରେ ଲୋକ ସଂଖ୍ୟା ୧ ହଜାର ଥିବା ବେଳେ ଗ୍ରାମସଭାରେ ୨ ହଜାର ଲୋକ କିପରି ଉପସ୍ଥିତ ରହିଲେ ଏବଂ ଗ୍ରାମସଭା ବାହାରେ ଆହୁରି ୨ ହଜାର କିପରି ଜମା ହେଲେ? ତେଣୁ ସଂପୂର୍ଣ୍ଣଭାବେ ବାହାର ଲୋକ ଅଣାଯାଇ ଜାଲିଆତି କରି ଗ୍ରାମସଭା ସଫଳ ହୋଇଛି ବୋଲି ଘୋଷଣା କରୁଛନ୍ତି । ପୂର୍ବରୁ ଗ୍ରାମବାସୀମାନେ ସରପଞ୍ଚ, ତହସିଲଦାର, ଜିଲ୍ଲାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ କମ୍ପାନୀ ପ୍ରତିଷ୍ଠା ନକରିବା ପାଇଁ ଅଭିଯୋଗ ପତ୍ର ଦାଖଲ କରିଥିଲେ । ପଞ୍ଚାୟତରୁ ଭୁବନେଶ୍ୱର ଲୋୟର ପିଏମଜି ପର୍ଯ୍ୟନ୍ତ ସବୁଠାରେ ଏହି କମ୍ପାନୀ ପ୍ରତିଷ୍ଠା ନକରିବାପାଇଁ ଗ୍ରାମବାସୀମାନେ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି । ସରକାର କମ୍ପାନୀର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବା ବେଳେ ଆଦିବାସୀମାନଙ୍କର ସ୍ୱାର୍ଥକୁ ଜଳଞ୍ଜଳି ଦେଉଛନ୍ତି । ଗ୍ରାମସଭା ସରିଲାଣି କିନ୍ତୁ ସରକାର କମ୍ପାନୀ ସହ କ’ଣ ଏମଓୟୁ ହୋଇଛି ତାହାକୁ ସାର୍ବଜନୀନ କରିନାହାନ୍ତି ।

କେନ୍ଦୁଝର ଜିଲ୍ଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀଙ୍କ ଜିଲ୍ଲା ହେଲେ ପାଟଣାର ଆଦିବାସୀ ମାନଙ୍କର କାନ୍ଦଣା ମୁଖ୍ୟମନ୍ତ୍ରୀ ଶୁଣିପାରୁ ନାହାନ୍ତି । ଜେଏସଡବ୍ଲୁ /ପୋସ୍କୋ ପ୍ରେମରେ ମୁଖ୍ୟମନ୍ତ୍ରୀ ଉବୁଡୁବୁ ହେଉଥିବା ବେଳେ ଯମୁନାପସି ଓ ଚେମଣା ପଞ୍ଚାୟତର ଆଦିବାସୀ, ଦଳିତ ଓ ପଛୁଆବର୍ଗ ମାନଙ୍କର ଆର୍ତ ଚିତ୍କାର ତାଙ୍କ କାନରେ ବାଜିବ କିପରି? ସୁତରାଂ ଏହି ଦୁଇ ପଞ୍ଚାୟତର ଆଦିବାସୀ ମାନଙ୍କର ଦାବିକୁ ପ୍ରଦେଶ ଯୁବ କଂଗ୍ରେସ ଦୃଢ଼ ସମର୍ଥନ କରୁଛି । ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ପ୍ରଭାରୀ ତଥା ଅଖିଳ ଭାରତ ଯୁବ କଂଗ୍ରେସର ସମ୍ପାଦିକା ରିୟାନା ରାଜୁ ଘୋଷଣା କଲେ ଯେ ଏମାନଙ୍କର ଆନ୍ଦୋଳନ ସହ ଆଜିଠାରୁ ଯୁବ କଂଗ୍ରେସ ସାମଲି ହେଲା । ଏଠାରେ ଉପସ୍ଥିତ ପ୍ରଭାବିତ ଚେମଣା ପଞ୍ଚାୟତର ଗୌରାଙ୍ଗ ଚରଣ ମହାନ୍ତି ଏବଂ ଦୁର୍ଯ୍ୟୋଧନ ନାୟକ କହିଲେ ଯେ ସେଠାରେ କମ୍ପାନୀ ପ୍ରତିଷ୍ଠାକୁ ଆମେ ପୂର୍ଣ୍ଣମାତାରେ ବିରୋଧ କରୁଛୁ । ସେଠିକାର ଆଦିବାସୀ ମାନଙ୍କର ଦାବି- “ରକ୍ତ ଦେବୁ, ଜୀବନ ଦେବୁ, ମା ମାଟି ଛାଡ଼ିବୁ ନାହିଁ” । ଆମକୁ ହତ୍ୟାକରି ସେଠାରେ କମ୍ପାନୀପାଇଁ ଯାଗା ଦିଆଯାଉ । ମାତ୍ର ବଞ୍ôଚଥିବା ପର୍ଯ୍ୟନ୍ତ କମ୍ପାନୀ ସେଠାରେ ଯାଗା ନେଇପାରିବ ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ସୁଦିପ ସାମଲ, ରିଆନା ରାଜୁ, ସ୍ୱାଗତ କର, ଜାଭେଦ ଅକତର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking