ଲମତାପୁଟ : ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଶନିବାର ଚଳିତ ବର୍ଷ ପ୍ରଥମ ଥର ପାଇଁ ଡି ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲାଯାଇଛି। ଏହା ମାଧ୍ୟମରେ ଅତିରିକ୍ତ ବର୍ଷାଜଳକୁ ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ନିଷ୍କାସନ କରାଯାଉଛି।ସୂଚନା ଅନୁଯାୟୀ, ମାଛକୁଣ୍ଡ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୨୫୯୦ ଫୁଟ୍ ରହିଥିବାବେଳେ ବର୍ତ୍ତମାନ ଜଳସ୍ତର ୨୫୮୭ ଫୁଟ୍ରେ ପହଞ୍ଚିଛି। ଜଳସ୍ତର ଆହୁରି ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର କର୍ତ୍ତୃପକ୍ଷ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଗେଟ୍ ଖୋଲି ନିୟନ୍ତ୍ରିତ ଭାବେ ପାଣି ନିଷ୍କାସନ ଆରମ୍ଭ କରିଛନ୍ତି।ଗେଟ୍ ଖୋଲାଯିବା ପରେ ଅତିରିକ୍ତ ଜଳ ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ପ୍ରବାହିତ ହେଉଛି। ନଦୀର ତଳମୁଣ୍ଡ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଜଳଭଣ୍ଡାରର ଜଳସ୍ତର ଉପରେ କର୍ତ୍ତୃପକ୍ଷ ନିରନ୍ତର ନଜର ରଖିଥିବାବେଳେ ଆବଶ୍ୟକ ପଡ଼ିଲେ ପରବର୍ତ୍ତୀ ସମୟରେ ଅନ୍ୟ ଗେଟ୍ଗୁଡ଼ିକ ମଧ୍ୟ ଖୋଲାଯିବ ବୋଲି ଜଣାପଡ଼ିଛି।










