ବେଙ୍ଗାଲୁରୁ:ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ବେଙ୍ଗାଲୁରୁସ୍ଥିତ ମୁଖ୍ୟାଳୟକୁ ଗୁରୁବାର ଏକ ବୋମା ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ସତର୍କ ହୋଇଯାଇଛନ୍ତି। ଘଟଣା ପରେ ପୋଲିସ ଓ ବମ୍ ସ୍କ୍ୱାଡ୍ର ଟିମ୍ ଇସ୍ରୋ ପରିସରରେ ବ୍ୟାପକ ତଲାସି ଅଭିଯାନ ଚଳାଇଥିଲେ। ପୋଲିସ ସୂଚନା ଅନୁସାରେ, ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନଙ୍କ କାର୍ଯ୍ୟାଳୟକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା। ଖବର ପାଇବା ମାତ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସମଗ୍ର ପରିସରରେ ତଲାସି କରାଯାଇଥିଲା।ତେବେ ଦୀର୍ଘ ସମୟ ଧରି ଚାଲିଥିବା ଯାଞ୍ଚ ପରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ମିଳିନଥିବା ପୋଲିସ ସ୍ପଷ୍ଟ କରିଛି। ଏବେ ଧମକପୂର୍ଣ୍ଣ ଇ-ମେଲ୍ର ପ୍ରେରକଙ୍କୁ ଚିହ୍ନଟ କରିବା ଓ ଏହା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ପୋଲିସର ଏକାଧିକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଇ-ମେଲ୍ଟି ଦେଶ ଭିତରୁ ନା ବିଦେଶରୁ ପଠାଯାଇଛି, ସେନେଇ ମଧ୍ୟ ତଦନ୍ତ ଚାଲିଛି।ଉଲ୍ଲେଖଯୋଗ୍ୟ, ଏଭଳି ବୋମା ଧମକର ଘଟଣା ନୂଆ ନୁହେଁ। ଗତ ବର୍ଷ ଦିଲ୍ଲୀର ଡିପିଏସ୍ ଦ୍ୱାରକା, କୃଷ୍ଣ ମଡେଲ୍ ସ୍କୁଲ୍ ଓ ସର୍ବୋଦୟ ବିଦ୍ୟାଳୟ ସମେତ ଅନେକ ସ୍କୁଲକୁ ମଧ୍ୟ ସମାନ ଧରଣର ବୋମା ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା। ପରବର୍ତ୍ତୀ ଯାଞ୍ଚରେ ସେଗୁଡ଼ିକ ଭୁଆ ବୋଲି ଜଣାପଡ଼ିଥିଲା, ତଥାପି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।










