ନୂଆଦିଲ୍ଲୀ: ବର୍ଷା ଆରମ୍ଭରୁ ବେହାଲ ହେଲାଣି ଅରୁଣାଚଳ ପ୍ରଦେଶ ଓ ଆସାମ । ବର୍ତ୍ତମାନ ସୁଦ୍ଧା ଅରୁଣାଚଳପ୍ରଦେଶରେ ୪ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଲୋକ ବାସହରା ହେଲେଣି । ୨୮ ଜିଲ୍ଲାର ଏକ ଲକ୍ଷ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି । ସିଆଙ୍ଗ ଜିଲ୍ଲାର ୪୮ହଜାର ଲୋକଙ୍କୁ କଲବଲ କରିଛି ବର୍ଷା ଓ ବନ୍ୟା । ସେପଟେ ବନ୍ୟା ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି ।ଆକାଶମାର୍ଗରୁ ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, କିରଣ ରିଜିଜୁ ଓ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି । NDRF, SDRF, ରାଜ୍ୟ ପୋଲିସ, ଭାରତୀୟ ବାୟୁସେନା, ବେସାମରିକ ବିମାନ ଚଳାଚଳ ହେଲିକପ୍ଟର ଏବଂ ସ୍ଥାନୀୟ ସ୍ଵେଚ୍ଛାସେବକମାନଙ୍କୁ ନିୟୋଜିତ କରାଯାଇଛି । କେଇ ପାନିୟୋର ଏବଂ ନିମ୍ନ ଦିବାଙ୍ଗ ଉପତ୍ୟକାରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରଭାବିତ ପରିବାରଗୁଡ଼ିକୁ ଖାଦ୍ୟଶସ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ସମେତ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଉଛି ।










