ମୟୁରଭଞ୍ଜ: ରାଇରଙ୍ଗପୁର- ତିରିଂ ରାସ୍ତାର ଗୁଦୁରସାହି ଗାଁ ନିକଟରେ ଏକ ଦ୍ରୁତଗାମୀ ବସର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।ଦୁର୍ଘଟଣା ପରେ ବସ ଚାଳକ ଗାଡି ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଯୁବକ ଜଣଙ୍କ ରାସ୍ତାରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ବସଟି ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତିରିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ଫେରାର ବସକୁ ଠାବ କରିବା ପାଇଁ ପୋଲିସ ଚେଷ୍ଟା ଚଳାଇଥିବା ବେଳେ , ମୃତ ଯୁବକଙ୍କ ପରିଚୟ ଓ ଦୁର୍ଘଟଣାର ସଠିକ କାରଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।










