ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଳ୍ପକେ ବର୍ତ୍ତିଲା ବଡ଼ ଅଘଟଣ । ପାଲ୍ ହାଇଟ୍ସ ନିକଟ ଜୟଦେବ ବିହାର ଅଞ୍ଚଳରେ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯିବାରୁ ସୃଷ୍ଟି ହୋଇଥିଲା ଆତଙ୍କ । ଦେଖୁ ଦେଖୁ ସମ୍ପୂର୍ଣ୍ଣ କାରଟି ନିଆଁରେ ଜଳିଯାଇଥିଲା । ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ଆହତ ହେବାର ସୂଚନା ମିଳିନାହିଁ । ସ୍ଥାନୀୟ ଲୋକ ଧୂଆଁ ଓ ନିଆଁ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସୂଚନା ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ ।
ଫଳରେ ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପିବା ପୂର୍ବରୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ପ୍ରାଥମିକ ତଦନ୍ତରୁ କାରରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ ଅଗ୍ନିଶମ ବିଭାଗ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି । ଘଟଣାକୁ ନେଇ କିଛି ସମୟ ପାଇଁ ଜୟଦେବ ବିହାର ଅଞ୍ଚଳରେ ଭିଡ଼ ଜମିଥିଲା ଏବଂ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା ।










