ଭୁବନେଶ୍ୱର : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଆସିଛି ବଡ଼ ମୋଡ଼ । ଏହି ବହୁଚର୍ଚ୍ଚିତ ଘଟଣାରେ ଅଭିଯୁକ୍ତ ପ୍ରେମିକ ଭୀମସେନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ବା ବିଏନଏସ୍ର ସଙ୍ଗିନ ଧାରା-୬୯ ଲାଗୁ କରିଛି ପୁଲିସ । ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଭୀମସେନଙ୍କୁ ଏହି ଧାରାରେ ଛନ୍ଦି ଦିଆଯାଇଛି । ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚନ୍ଦ୍ରିକା ଓ ଭୀମସେନଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା । ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ପ୍ରମାଣ ମିଳିଥିବା କୁହାଯାଉଛି । ଏହାକୁ ଆଧାର କରି ପୁଲିସ ମାମଲାରେ ଅଧିକ ଗୁରୁତର ଧାରା ଯୋଡ଼ିଛି ।
ସେପଟେ ରିମାଣ୍ଡରେ ନେଇ ଅଭିଯୁକ୍ତଙ୍କୁ ଜେରା କରାଯାଉଥିବାବେଳେ ଚନ୍ଦ୍ରିକାଙ୍କ ମୃତ୍ୟୁ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିବା ସୂଚନା ମିଳିଛି । ତେବେ ତଦନ୍ତର ସ୍ୱାର୍ଥ ଦୃଷ୍ଟିରୁ ପୁଲିସ ଏ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିନାହିଁ । ଚନ୍ଦ୍ରିକାଙ୍କ ମୃତ୍ୟୁ ପଛରେ ଆଉ କୌଣସି ଷଡଯନ୍ତ୍ର କିମ୍ବା ଚାପ ରହିଥିଲା କି ନାହିଁ, ସେ ଦିଗରେ ମଧ୍ୟ ପୁଲିସ ଖୋଳତାଡ଼ ଜାରି ରଖିଛି । ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ତଦନ୍ତକୁ ଆହୁରି ଜୋରଦାର କରାଯାଇଛି । ଏହି ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ଚନ୍ଦ୍ରିକାଙ୍କ ପରିବାର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି ।










