ପୁରୀ: ପୁରୀର ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ପବିତ୍ର ରୁକ୍ମଣୀ–ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ବିବାହ ନୀତି ଉତ୍ସବ । ଦେବଦେବୀଙ୍କ ଏହି ଦିବ୍ୟ ମିଳନ ଅବସରରେ ଶ୍ରୀମନ୍ଦିର ପରିବେଶ ଭକ୍ତି ଓ ଉତ୍ସାହରେ ଉଜ୍ଜ୍ୱଳ ହୋଇଉଠିଛି । ନୀତି ଅନୁଯାୟୀ ମା’ ଲକ୍ଷ୍ମୀ ରୁକ୍ମିଣୀ ରୂପେ ଏବଂ ଶ୍ରୀମଦନମୋହନ ଶ୍ରୀକୃଷ୍ଣ ରୂପେ ସଜି ଏହି ପବିତ୍ର ବିବାହ ଉତ୍ସବରେ ଅଂଶଗ୍ରହଣ କରିବେ । ଏହା ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଆକର୍ଷଣୀୟ ନୀତିକାନ୍ତି ମଧ୍ୟରୁ ଗୋଟିଏ ।ସିଂହଦ୍ୱାର ସମ୍ମୁଖରେ ଆଜି ସକାଳୁ ତେଲିଙ୍ଗି ବାଜା, ଯୋଡ଼ି ଶଂଖ ଓ ମହୁରୀର ସୁରିଲା ସ୍ୱରରେ ପରିବେଶ ଗୁଞ୍ଜରିତ ହୋଇଉଠିଛି । ଭକ୍ତମାନେ ଦୂରଦୂରାନ୍ତରୁ ଆସି ଏହି ଦିବ୍ୟ ଦୃଶ୍ୟ ଦେଖିବାକୁ ଅପେକ୍ଷାରେ ରହିଛନ୍ତି । ନୀତିକାନ୍ତି ସମୟରେ ସୁରକ୍ଷା ଓ ପରମ୍ପରା ରକ୍ଷା ପାଇଁ ପ୍ରାୟ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।









