ଭୁବନେଶ୍ୱର : ରାଜ୍ୟରେ କେନ୍ଦୁପତ୍ର କାର୍ଯ୍ୟକଳାପର ସଫଳତା, କ୍ଷେତ୍ରସ୍ତରରେ ଗ୍ରହଣ କରାଯାଇଥିବା ନବୀନ ପଦକ୍ଷେପ ଏବଂ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା ଓ ସମୀକ୍ଷା କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରସ୍ଥିତ ଅରଣ୍ୟ ଭବନର ଷଷ୍ଠ ମହଲା ସମ୍ମିଳନୀ କକ୍ଷରେ ‘କେନ୍ଦୁପତ୍ର ଚିନ୍ତନ ଶିବିର–୨୦୨୬’ ଆୟୋଜିତ ହୋଇଯାଇଛି।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଅଧିକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ଶର୍ମା କହିଥିଲେ ଯେ, ଆଗାମୀ ଦିନରେ ବିଭିନ୍ନ ପ୍ରକଳ୍ପକୁ ଆମନ୍ତ୍ରଣ କରି ରାଜ୍ୟରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରା ଯିବ। କେନ୍ଦୁପତ୍ର କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯିବ।
ଏହି ଅବସରରେ ଓଡ଼ିଶାରେ କେନ୍ଦୁପତ୍ର କାର୍ଯ୍ୟକଳାପର ସଫଳତା ଓ ଏହାର ସାମାଜିକ-ଆର୍ଥିକ ପ୍ରଭାବ ଉପରେ ଆଧାରିତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଏଥିରେ କେନ୍ଦୁପତ୍ର କାର୍ଯ୍ୟକଳାପ ମାଧ୍ୟମରେ ଜୀବିକା ସୃଷ୍ଟି, ଗ୍ରାମୀଣ ବିକାଶ ଏବଂ ହିତାଧିକାରୀଙ୍କ କଲ୍ୟାଣ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅବଦାନକୁ ଉପସ୍ଥାପିତ କରାଯାଇଥିଲା।
କେନ୍ଦୁପତ୍ର ପରିଚାଳନାରେ ନବୀନ ପଦକ୍ଷେପ ସମ୍ପର୍କିତ ଅନୁଭୂତି ବିନିମୟ ଅଧିବେଶନରେ ବଲାଙ୍ଗୀର (କେ.ଏଲ୍.) ବିଭାଗର ସହକାରୀ ବନ ସଂରକ୍ଷକ ଏବଂ ବୌଦ୍ଧ (କେ.ଏଲ୍.), ଭବାନୀପାଟଣା (କେ.ଏଲ୍.) ଓ ରାଉରକେଲା (କେ.ଏଲ୍.) ଡିଭିଜନର ବନଖଣ୍ଡ ଅଧିକାରୀମାନେ ନିଜ ନିଜ ବିଭାଗରେ ଗ୍ରହଣ କରାଯାଇଥିବା ସଫଳ ହସ୍ତକ୍ଷେପ, ଉତ୍ତମ ପଦ୍ଧତି ଓ ନବୀନ ଉଦ୍ୟମ ସମ୍ପର୍କରେ ଉପସ୍ଥାପନା କରିଥିଲେ।
କେନ୍ଦୁପତ୍ର କାର୍ଯ୍ୟକଲାପର ଉଲ୍ଲେଖନୀୟ ଅବଦାନ ଓ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ୧୮ ଜଣ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, ଓଡ଼ିଶା, ଡ. କେ ମୁରୁଗେସନ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ପ୍ରେମ କୁମାର ଝା ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ଶ୍ରୀମତୀ ଉମା ନନ୍ଦୁରୀ ଯୋଗଦେଇଥିଲେ। ସେମାନେ ନିଜ ଅଭିଭାଷଣରେ କେନ୍ଦୁପତ୍ର କାର୍ଯ୍ୟକଳାପକୁ ଅଧିକ ରାଜସ୍ୱ ଆଦାୟ କରିବା ସହ କେନ୍ଦୁପତ୍ରର ଗୁଣବତ୍ତା ଏବଂ ପରିମାଣାତ୍ମକ ଉତ୍ପାଦନ ବୃଦ୍ଧି କରିବା ପାଇଁ ଆଗାମୀ ଫସଲରେ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ କହିଥିଲେ।ଚିନ୍ତନ ଶିବିରରେ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ କେନ୍ଦୁପତ୍ର ଶାଖାର ସମସ୍ତ ବନଖଣ୍ଡ ଅଧିକାରୀ, ସହକାରୀ ବନ ସଂରକ୍ଷକ ଓ ରେଞ୍ଜ ଅଫିସରମାନେ ଉପସ୍ଥିତ ଥିଲେ।










