ଭୁବନେଶ୍ବର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଆଠୱାଲେ । ଏହି ଗସ୍ତ ସମୟରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ବିଏମସିର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ବୟନ ସମ୍ପର୍କରେ ଆଲୋଚନା କରିଛନ୍ତି ।
ସମୀକ୍ଷା ବୈଠକରେ ଅନୁସୂଚିତ ଜାତି, ଓବିସିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ଆଲୋଚନା କରି ଛାତ୍ରବୃତ୍ତି, ଉଚ୍ଚ ଶିକ୍ଷା ଓ ଚାକିରୀରେ ସଂରକ୍ଷଣ ସମ୍ପର୍କରେ ପଚାରିବୁଝିଥିଲେ ରାଷ୍ଟ୍ରମନ୍ତ୍ରୀ । ନିକଟରେ ଅନୁସୂଚିତ ଜନଜାତି ଙ୍କ ସଂରକ୍ଷଣ ହାର ୨୨.୫ % କୁ, ଅନୁସୂଚିତ ଜାତିଙ୍କ ସଂରକ୍ଷଣ ହାର ୧୬.୨୫% କୁ ବୃଦ୍ଧି କରିବା ସହ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଏହି ଶିକ୍ଷା ବର୍ଷଠାରୁ ଲାଗୁ କରାଯାଇଛି । ରାଜ୍ୟ ସରକାରଙ୍କ ଏହି ପ୍ରୟାସ ବିଷୟରେ ଜାଣି ସେ ଖୁସି ବ୍ୟକ୍ତ କରିଛନ୍ତି ।
ସେହିପରି ଜନଆକ୍ରୋସର ଶିକାର ହେଉଥିବା ପୀଡିତଙ୍କୁ ଆର୍ଥିକ ସହୟତା ଯୋଗାଇ ଦିଆଯାଉଥିବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ । ବର୍ତ୍ତମାନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗ ନିଜର ଅଧିକାର ସମ୍ପର୍କରେ ଅଧିକ ସଚେତନ ହେଉଥିବା ନେଇ ସୂଚନା ଦେଇଥିଲେ । ରାଜ୍ୟରେ ଆନ୍ତଃଜାତି ବିବାହିତ ଦମ୍ପତ୍ତିଙ୍କୁ କେନ୍ଦ୍ର ସରକାରଙ୍କ ସହାୟତାକ୍ରମେ ୨.୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରାଯାଉଅଛି । ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୪,୯୫୮ ଦମ୍ପତ୍ତିଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା ।
ଏଥିସହ ଭିନ୍ନକ୍ଷମଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ପେନସନ୍ ଯୋଜନା ମାଧ୍ୟମରେ ରାଜ୍ୟର ପ୍ରାୟ ୯୦, ୨୮୩ ଭିନ୍ନକ୍ଷମଙ୍କୁ ପେନସନ୍ ଦିଆଯାଉଥିବା ସୂଚନା ଦିଆଯାଇଥିଲା । ଏଥିସହ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବତନ୍ତ୍ର ବିଦ୍ୟାଳୟ ଓ ସଂରକ୍ଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଥିସହ ଭିନ୍ନକ୍ଷମ ଶିଶୁମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା, ସେମାନଙ୍କୁ ପ୍ରାରମ୍ଭିକ ସହାୟତା ଯୋଗାଇଦେବା ବିଷୟରେ ଗୁରୁତ୍ବ ଦେଇଥିଲେ ରାଷ୍ଟ୍ରମନ୍ତ୍ରୀ ।
ବୈଠକରେ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ବି. ପରମେଶ୍ବରନ୍, ଅନୁସୂଚିତ ଜାତି ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମଣ କୁମାର ମଲ୍ଲିକ, ଓବିସି ନିର୍ଦ୍ଦେଶକ ଶ୍ରୀମତୀ ଯୁଗଳେଶ୍ବରୀ ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରାଉତରାୟ, ବିଏମସିର ଅତିରିକ୍ତ ଆୟୁକ୍ତ ଶ୍ରୀମତୀ ସସ୍ମିତା ସାହୁ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍କ ଶାସନ ସଚିବ ଶ୍ରୀମତୀ ଗୀତାଞ୍ଜଳି ନାଏକ, ଶ୍ରୀମତୀ ମଧୁସ୍ମିତା ସାମଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।










