ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ହଠାତ୍ ବଦଳିଗଲା ପାଗ। ଆକାଶରେ କଳା ବାଦଲ ଘୋଟିଆସିଥିଲା। ଆଉ ଦେଖୁ ଦେଖୁ ପ୍ରବଳ ପବନ ବୋହିଥିଲା। ନୋଏଡାରେ ପ୍ରବଳ ପବନ ସାଙ୍ଗକୁ ଧୁଳିଝଡ଼ ଦେଖିବାକୁ ମିଳିଥିଲା। ପାଣିପାଗ ବଦଳିବା ସହ ସାଧାରଣ ଲୋକେ ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇଥିଲେ। କିନ୍ତୁ ଧୁଳିଝଡ଼ ଯୋଗୁଁ ରାସ୍ତାରେ ଦୃଶ୍ୟମାନ କମ୍ ହୋଇଥିଲା। ଅପରାହ୍ଣ ୩ଟା ବେଳେ ହଠାତ୍ ପାଣିପାଗରେ ଏଭଳି ପରବର୍ତ୍ତନ ଆସିଥିଲା। ପ୍ରବଳ ପବନ ଯୋଗୁଁ ରାସ୍ତାରେ ଧୂଳିର ବଡ଼ ଆସ୍ତରଣ ଦେଖିବାକୁ ମିଳିଥିଲା। ଏମିତିକି କିଛି ସ୍ଥାନରେ ଗଡ଼ଗୂଡ଼ିକ ଭାଙ୍ଗି ପଡ଼ିଥିଲା। କିଛି ସ୍ଥାନରେ ଆଜବେଷ୍ଟ ଓ ଅସ୍ଥାୟୀ ଟିଣ ପବନରେ ଉଡ଼ିଯାଇଥିଲା। ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ରାଜ୍ୟରେ ମୌସୁମୀଜନିତ ବର୍ଷା ବିଳମ୍ବ ହୋଇଛି। କିନ୍ତୁ ଏହି ଝଡ଼ବର୍ଷା ଲୋକଙ୍କୁ ଆଶ୍ବସ୍ତ କରିଛି। ଆଇଏମଡି ଅନୁସାରେ, ଜୁନ ୨୭ ତାରିଖ ସୁଦ୍ଧା ଦିଲ୍ଲୀରେ ମୌସୁମୀ ପହଞ୍ଚିଥାଏ। କିନ୍ତୁ ଏଥର ବିଳମ୍ବ ହୋଇପାରେ। ଜୁଲାଇ ପ୍ରଥମ ସପ୍ତାହରେ ମୌସୁମୀ ପହଞ୍ଚିବା ନେଇ ଅନୁମାନ କରାଯାଉଛି।










