ମୟୂରଭଞ୍ଜ: ୨୦ ଜୁନ୍ ୨୦୨୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଗରିମାମୟ ଉପସ୍ଥିତିରେ ୮୧୧.୮୬ କୋଟି ଟଙ୍କା ବ୍ୟୟର ୦୯ଟି ସଡ଼କ ଓ ସେତୁ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ ଏବଂ ୩୭୯.୮୪ କୋଟି ଟଙ୍କା ବ୍ୟୟର ୦୩ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି ।
ଉଦ୍ଘାଟିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୫୩୬.୮୮ କୋଟି ଟଙ୍କା ବ୍ୟୟର ୦୪ଟି ଜାତୀୟ ରାଜପଥ ପ୍ରକଳ୍ପ ରହିଛି। ସେଗୁଡ଼ିକ ହେଲା— ନୟାଗଡ଼ ବାଇପାସ୍ (ଏନ୍ଏଚ୍-୫୭), ରିଗଡୋଲ–ବେଲଗାଁ ସେକ୍ସନ୍ (ଏନ୍ଏଚ୍-୫୯), ରିଆମାଳ ବାଇପାସ୍ (ଏନ୍ଏଚ୍-୫୩) ଏବଂ କୋଟପାଡ଼ ବାଇପାସ୍ (ଏନ୍ଏଚ୍-୬୩)।ସେହିପରି ୨୭୪.୯୮ କୋଟି ଟଙ୍କା ବ୍ୟୟର ୦୫ଟି ସଡ଼କ ଓ ଭବନ (ଆର୍ ଆଣ୍ଡ ବି) ପ୍ରକଳ୍ପ ମଧ୍ୟ ଉଦ୍ଘାଟିତ ହୋଇଥିଲା। ଏଥିମଧ୍ୟରେ କଟକର ତାଳଦଣ୍ଡା କେନାଲ ଡାହାଣ ପାର୍ଶ୍ୱ ବନ୍ଧ ସଡ଼କ, ଭଦ୍ରକର ଇଛାପୁର–ବାସୁଦେବପୁର ସଡ଼କ, ଢେଙ୍କାନାଳର ଢେଙ୍କାନାଳ–କାଇମାଟି–ଜୋରନ୍ଦା ସଡ଼କ, ବରଗଡ଼ର ବିଜେପୁର–ଦୁବଲାବାହାଲ ସଡ଼କ ଏବଂ ନବରଙ୍ଗପୁରର ଦେଓବନ୍ଧା–ଚନ୍ଦାହାଣ୍ଡି ( ଭାୟା ଫଟକି ) ସଡ଼କ ଅନ୍ତର୍ଭୁକ୍ତ।
ଏହାସହିତ କଟକର କାଠଯୋଡ଼ି ହାଇ ଲେବଲ ସେତୁ, ବୌଦ୍ଧ ଜିଲ୍ଲାର ଧଳପୁର–ହରଭଙ୍ଗା ସଡ଼କ ଏବଂ ଏନ୍ଏଚ୍-୩୫୩ର ନୂଆପଡ଼ା–ଘାଟିପଡ଼ା ସେକ୍ସନ୍ର ପ୍ରଶସ୍ତୀକରଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରାଯାଇଥିଲା।ରାଜ୍ୟରେ କୌଶଳଗତ ରାଜପଥ ସଂଯୋଗ ଓ ସ୍ଥାନୀୟ ଭିତ୍ତିଭୂମି ବିକାଶ ମଧ୍ୟରେ ସନ୍ତୁଳିତ ନିବେଶର ପ୍ରତିଫଳନ ଘଟାଇଥିବା ଏହି ପ୍ରକଳ୍ପଗୁଡ଼ିକ ଯାତାୟାତ ସୁବିଧା ବୃଦ୍ଧି, ଯାତ୍ରା ସମୟ ହ୍ରାସ, ସଡ଼କ ସୁରକ୍ଷାର ଉନ୍ନତି ଏବଂ ଓଡ଼ିଶାର ସାମଗ୍ରିକ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ।










