ଅରୁଣନଗର: ଜମ୍ବୁ ମୁଖ୍ୟ ରାସ୍ତାର ଅରୁଣନଗର ଛକ ନିକଟରେ ଏକ ଜେସିବି ମେସିନ୍ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଜେସିବିଟି ସିଧାସଳଖ ସିଂପଡ଼ା ଗ୍ରାମର ଗଣେଶ ସିଂଙ୍କ ଘର ନିକଟରେ ଯାଇ ପଡ଼ିବାରୁ ଘର ପାଖରେ ନିର୍ମିତ ଶୌଚାଳୟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି । ଦୁର୍ଘଟଣା ସମୟରେ ଗଣେଶ ସିଂଙ୍କ ପରିବାର ସଦସ୍ୟମାନେ ଘର ଭିତରେ ଶୋଇଥିଲେ ।ପ୍ରଚଣ୍ଡ ଶବ୍ଦ ଶୁଣି ସମସ୍ତେ ଭୟଭୀତ ହୋଇ ବାହାରକୁ ଦୌଡ଼ି ଆସିଥିଲେ । ଭାଗ୍ୟବଶତଃ ଜେସିବିଟି ଘର ଉପରେ ନ ପଡ଼ିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ । ଜେସିବି କିପରି ଭାରସାମ୍ୟ ହରାଇଲା ଏବଂ ଦୁର୍ଘଟଣାର କାରଣ କଣ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ଲୋକମାନେ ରାସ୍ତାର ସୁରକ୍ଷା ବ୍ୟବସ୍ଥା ଓ ଭାରୀ ଯାନବାହନ ଚଳାଚଳ ଉପରେ କଡ଼ା ନଜରଦାରି ପାଇଁ ଦାବି କରିଛନ୍ତି ।










