39.1 C
Bhubaneswar
Sunday, June 21, 2026
Homeଓଡିଶା୧ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

୧ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର,: ଅନ୍ତର୍ଜାତୀୟ ଡାକ୍ତର ଦିବସ ଅବସରରେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆହ୍ବାନ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା)। ଏହା ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୨୪ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଓପିଡି ସେବାକୁ ୧ ଘଣ୍ଟା ପାଇଁ ବର୍ଜନ କରିବେ ଡାକ୍ତର। ୧୦ ଦଫା ଦାବି ନେଇ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଶନିବାର ଓମ୍‌ସା ପକ୍ଷରୁ ଆୟୋଜିତ ବୈଠକରେ ସୂଚନା ଦିଆଯାଇଛି। ଓମ୍‌ସାର ଡା. କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି, ଡାକ୍ତରଙ୍କ ବିଭିନ୍ନ ଦାବି ଓ ସମସ୍ୟାର ସମାଧାନ ପାଇଁ ଡାକ୍ତର ସଂଘ ପକ୍ଷରୁ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଛି। ୩ମାସ ମଧ୍ୟରେ ସଂଘର ଦାବି ପୂରଣ କରାଯିବ ବୋଲି ସରକାର ଜାନୁଆରୀରେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଇତିମଧ୍ୟରେ ୬ ମାସ ବିତିସାରିଥିଲେ ହେଁ ଏଯାଏ ଗୋଟିଏ ବି ଦାବି ପୂରଣ ହୋଇନାହିଁ। ତେଣୁ ଜୁନ୍‌ ୩୦ ସୁଦ୍ଧା ଦାବି ପୂରଣ ନ ହେଲେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ।

ବୈଠକରେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସରକାର ସେମାନଙ୍କ ପ୍ରତି ଉଦାସୀନତା ପ୍ରକାଶ କରୁଥିବାରୁ ଡାକ୍ତରମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ଅନେକ ସମୟରେ ବିନା କାରଣରେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ତେଣୁ ଡାକ୍ତରମାନଙ୍କ ନ୍ୟାୟସଙ୍ଗତ ଦାବି ପ୍ରତି ଅବହେଳା ଏବଂ ସ୍ବାସ୍ଥ୍ୟ ସଂସ୍ଥାନଗୁଡ଼ିକରେ ଅବନତି ଘଟୁଥିବା ସୁରକ୍ଷା ପରିବେଶ ପ୍ରତିବାଦରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ। ସେହିପରି ଜୁଲାଇ ୧ରୁ ଡାକ୍ତରଙ୍କ ଗଣ ଇସ୍ତଫା ଆରମ୍ଭ ହେବ। ଓମ୍‌ସା ପକ୍ଷରୁ ଡାକ୍ତରଙ୍କ ଇସ୍ତଫାପତ୍ର ସଂଗ୍ରହ କରି ସରକାରଙ୍କ ନିକଟକୁ ପଠାଯିବ। ଦୀର୍ଘଦିନ ଧରି ଦାବି ପୂରଣ ନ ହେବା ଏବଂ ଡାକ୍ତରଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣା ପ୍ରତି ଏହା ଅସନ୍ତୋଷର ପ୍ରତିଫଳନ ବୋଲି କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking