ୱାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଅପଦସ୍ଥ ହେବାକୁ ପଡ଼ିଛି। ଇରାନ ସହିତ ଆମେରିକାର ଶାନ୍ତି ଚୁକ୍ତି ପାଇଁ ହୋଇଥିବା ବୁଝାମଣାର ସର୍ତ୍ତାବଳୀ ପ୍ରକାଶ କରିବାରେ ବିଳମ୍ବକୁ ନେଇ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ପାକିସ୍ତାନକୁ ସମାଲୋଚନା କରିଛନ୍ତି। ପାକିସ୍ତାନ ଓ କାତାର ଗଣମାଧ୍ୟମର ସ୍ବାଧୀନତା ନଥିବା ଭାନ୍ସ କହିଥିଲେ। ଏହା ଦ୍ବାରା ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ବୁଝାମଣାର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା ବୋଲି ଭାନ୍ସ କହିଛନ୍ତି।ଏକ ପଡକାଷ୍ଟରେ ଆମେରିକାର ଉପ-ରାଷ୍ଟ୍ରପତି ଭାନ୍ସ କହିଛନ୍ତି ଯେ, ଇରାନ ସହିତ ହୋଇଥିବା ବୁଝାମଣାପତ୍ରର ବିବରଣୀ ପ୍ରକାଶ କରିବାରେ ବିଳମ୍ବ ହେବାର ଅନ୍ୟତମ କାରଣ ହେଉଛି ପାକିସ୍ତାନରେ ଗଣମାଧ୍ୟମର ସ୍ବାଧୀନତାର ଅଭାବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁନ୍ ୧୫ ରେ ମଧ୍ୟବର୍ତ୍ତୀକାଳୀନ ଶାନ୍ତି ଚୁକ୍ତି ଘୋଷଣା କରିଥିବାବେଳେ ବୁଝାମଣାପତ୍ରର ସର୍ତ୍ତାବଳୀ ଦୁଇ ଦିନ ପରେ ପ୍ରକାଶିତ ହୋଇଥିଲା। ପଡକାଷ୍ଟ ‘ଇଣ୍ଟରେଷ୍ଟିଂ ଟାଇମ୍ସ ୱିଥ୍ ରସ୍ ଡୌଥାଟ୍’ରେ ଭାନ୍ସ କହିଥିଲେ ଆମେରିକା ଚୁକ୍ତିନାମାର ସମ୍ପୂର୍ଣ୍ଣ ସର୍ତ୍ତାବଳୀ ଶୀଘ୍ର ପ୍ରକାଶ କରିବାକୁ ଚାହୁଁଥିଲା, କିନ୍ତୁ ପାକିସ୍ତାନ ଏବଂ କାତାରର ଥିବା ଗଣମାଧ୍ୟମର ସ୍ବାଧୀନତା ସୀମିତ ଥିବାରୁ ବିଳମ୍ବ ହୋଇଥିଲା। ପାକିସ୍ତାନ ଓ କାତାର ଗଣମାଧ୍ୟମ ସ୍ବାଧୀନତା ଆମେରିକାର ପ୍ରେସ୍ ସ୍ବାଧୀନତା ସହ ତୁଳନୀୟ ନୁହେଁ ବୋଲି ସେ କହିଥିଲେ। ସେହି ଦେଶଗୁଡ଼ିକରେ ଜନସାଧାରଣ ଏକ ଚୁକ୍ତିନାମାର ଦଲିଲଗୁଡ଼ିକୁ ପଢ଼ିବା, ଯାଞ୍ଚ କରିବା ଏବଂ ସ୍ବାଧୀନ ଭାବରେ ବିଶ୍ଳେଷଣ କରିବାକୁ ସେ ଆଶା କରନ୍ତି ନାହିଁ ବୋଲି ଭାନ୍ସ କହିଥିଲେ।










