ମୟୁରଭଞ୍ଜ: ଆଦିବାସୀଙ୍କ ଧର୍ମପୀଠର ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାହାଡପୁର ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କଲେ । ରାଷ୍ଟ୍ରପତିଙ୍କ ସହ ମିଶି ଏକାଠି ପୂଜାର୍ଚ୍ଚନା କଲେ । ଦକ୍ଷତା ବିକାଶ କେନ୍ଦ୍ର ଯାଇ ମଧ୍ୟ ପରୀକ୍ଷଣ କଲେ । ସମୃଦ୍ଧ ଆଦିବାସୀ ପରମ୍ପରା ନେଇ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏସଏଲଏସ ସ୍କୁଲ ଯାଇ ପିଲାଙ୍କ ସହ ଭାବର ଆଦାନ ପ୍ରଦାନ କଲେ । ପାହାଡ଼ପୁରରେ ପହଞ୍ଚିବା ପରେ ସର୍ବପ୍ରଥମେ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ସାହସ, ସରଳତା ଏବଂ ଜନସେବା ପ୍ରତି ଦ୍ରୌପଦୀ ମୁର୍ମୁଙ୍କ ସମର୍ପଣକୁ ସେ ପ୍ରଶଂସା କରିଥିଲେ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥାଇ ମଧ୍ୟ ନିଜ ମୂଳ ମାଟି ସହ ରାଷ୍ଟ୍ରପତିଙ୍କ ଅଟୁଟ ସମ୍ପର୍କକୁ ମୋଦୀ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପୂରା ମୟୂରଭଞ୍ଜ ଉତ୍ସବମୁଖର ହୋଇଉଠିଥିଲା । ରାସ୍ତାଘାଟରୁ ଆରମ୍ଭ କରି ସଭାସ୍ଥଳ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଥିଲା ଜନସାଧାରଣଙ୍କ ଉତ୍ସାହ । ନିଜ ଅଞ୍ଚଳର ଝିଅ ଆଜି ଦେଶର ରାଷ୍ଟ୍ରପତି ହୋଇ ଜନ୍ମଦିନ ପାଳନ କରୁଥିବାବେଳେ, ତାଙ୍କ ସହ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ସ୍ଥାନୀୟ ଲୋକଙ୍କ ଖୁସିକୁ ଦୁଇଗୁଣ କରିଦେଇଥିଲା ।










