30 C
Bhubaneswar
Wednesday, June 17, 2026
Homeଓଡିଶାଗଞ୍ଜାମରେ ଏକରିକ୍ ପ୍ରକଳ୍ପର କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କଲା ଗ୍ରୀନ କ୍ଲାଇମେଟ୍ ଫଣ୍ଡ ମିଶନ

ଗଞ୍ଜାମରେ ଏକରିକ୍ ପ୍ରକଳ୍ପର କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କଲା ଗ୍ରୀନ କ୍ଲାଇମେଟ୍ ଫଣ୍ଡ ମିଶନ

ଭୁବନେଶ୍ୱର/ଗଞ୍ଜାମ: ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ (ଜିସିଏଫ୍)ର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ଭାରତୀୟ ଉପକୂଳ ଅଧିବାସୀଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି (ଏକରିକ୍) ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ପ୍ରତିନିଧି ଦଳ ଚିଲିକା–ଗଞ୍ଜାମ ଏବଂ ବାହୁଦା ଉପକୂଳୀୟ ପରିଦୃଶ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କାର୍ଯ୍ୟକ୍ରମଗୁଡ଼ିକ ପରିଦର୍ଶନ କରି ପରିବେଶତନ୍ତ୍ରର ପୁନରୁଦ୍ଧାର ଏବଂ ଜଳବାୟୁ-ସହନଶୀଳ ଜୀବିକା କିପରି ଉପକୂଳବର୍ତ୍ତୀ ଅସୁରକ୍ଷିତ ସମୁଦାୟମାନଙ୍କର ଅନୁକୂଳନ କ୍ଷମତାକୁ ସୁଦୃଢ଼ କରୁଛି, ତାହା ଆକଳନ କରିଥିଲେ। ଗସ୍ତକାରୀ ପ୍ରତିନିଧି ଦଳରେ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡର ପୂର୍ବ ଏବଂ ଦକ୍ଷିଣ ଏସିଆ ଆଞ୍ଚଳିକ ପରିଚାଳିକା ଡାଏନ୍ ଜେଗମ୍ ଏବଂ ପ୍ରମୁଖ ଜଳବାୟୁ ନିବେଶ ବିଶେଷଜ୍ଞ ଡଃ ବାପନ ଫଖରୁଦ୍ଦିନ୍ ଅନ୍ତର୍ଭୁକ୍ତ ଥିଲେ। ଗସ୍ତ ସମୟରେ ପ୍ରତିନିଧି ଦଳ ଏକରିକ୍ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ତଥା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ପ୍ରେମ କୁମାର ଝାଙ୍କ ସହ ସାକ୍ଷାତ କରି ରାଜ୍ୟରେ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ଶ୍ରୀ ପ୍ରେମ କୁମାର ଝା କହିଥିଲେ, “ଓଡ଼ିଶାର ଉପକୂଳ ଅଞ୍ଚଳ ଘୂର୍ଣ୍ଣିଝଡ଼, ଜୁଆର ଜଳୋଚ୍ଛ୍ୱାସ, ଉପକୂଳ କ୍ଷୟ ଏବଂ ବନ୍ୟା ଭଳି ଜଳବାୟୁ ପରିବର୍ତ୍ତନର ପ୍ରଭାବ ପ୍ରତି ଦିନକୁ ଦିନ ଅଧିକ ସଂବେଦନଶୀଳ ହେଉଛି। ତେବେ ପରିବେଶତନ୍ତ୍ରର ପୁନରୁଦ୍ଧାର ଓ ସମୁଦାୟଭିତ୍ତିକ ଅନୁକୂଳନ ମାଧ୍ୟମରେ ସହନଶୀଳତା ବୃଦ୍ଧିର ବ୍ୟାପକ ସୁଯୋଗ ମଧ୍ୟ ରହିଛି। ଏହି ପ୍ରକଳ୍ପ ମାଧ୍ୟମରେ ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତ୍ତୀ ଅସୁରକ୍ଷିତ ସମୁଦାୟମାନଙ୍କୁ ସହାୟତା ପ୍ରଦାନ କରାଯାଉଛି। ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡର ପ୍ରତିନିଧି ଦଳଙ୍କୁ ଏହି ପ୍ରୟାସଗୁଡ଼ିକୁ କ୍ଷେତ୍ରସ୍ତରରେ ଅବଲୋକନ କରିବା ପାଇଁ ସ୍ୱାଗତ କରି ଆମେ ଆନନ୍ଦିତ।” ପ୍ରତିନିଧି ଦଳ ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କ୍ଷେତ୍ରସ୍ତରୀୟ ପଦକ୍ଷେପ ଯଥା ଘରୋଇ ଅଳଙ୍କାରିକ ମତ୍ସ୍ୟଚାଷ ୟୁନିଟ୍, ସାମୁଦ୍ରିକ ଘାସ (ସିଗ୍ରାସ୍) ପୁନରୁଦ୍ଧାର, ମାଙ୍ଗ୍ରୋଭ୍ ବୃକ୍ଷରୋପଣ, ସମୁଦ୍ର ଶୈବାଳ ଚାଷ ଏବଂ କଙ୍କଡ଼ା ପାଳନ ଆଦିର ସମୀକ୍ଷା କରିଥିଲେ। ଗସ୍ତର ଏକ ପ୍ରମୁଖ ଆକର୍ଷଣ ଥିଲା ‘କ୍ଲାଇମେଟ୍ ଚାମ୍ପିଅନ୍’ମାନଙ୍କ ସହ ଆଲୋଚନା, ଯେଉଁମାନଙ୍କୁ ପ୍ରକଳ୍ପ ଅଧୀନରେ ଚିହ୍ନଟ ଓ ପ୍ରଶିକ୍ଷିତ କରାଯାଇ ସେମାନଙ୍କ ସମୁଦାୟରେ ଜଳବାୟୁ-ସହନଶୀଳ ଅଭ୍ୟାସକୁ ପ୍ରୋତ୍ସାହନ ଦିଆଯାଉଛି।

ଡାଏନ୍ ଜେଗମ୍ କହିଥିଲେ, “ଦୀର୍ଘମିଆଦି ଜଳବାୟୁ ସହନଶୀଳତା ଗଠନ ପାଇଁ ଆବଶ୍ୟକ ସମନ୍ୱିତ ଏବଂ ସମୁଦାୟ-ନେତୃତ୍ୱାଧୀନ ସମାଧାନର ଏକ ଉତ୍କୃଷ୍ଟ ଉଦାହରଣ ହେଉଛି ଏହି ପ୍ରକଳ୍ପ। ପରିବେଶତନ୍ତ୍ରର ପୁନରୁଦ୍ଧାରକୁ ସ୍ଥାୟୀ ଜୀବିକା ସହ ଯୋଡ଼ି ଏହା କେବଳ ଅସୁରକ୍ଷିତତା ହ୍ରାସ କରୁନାହିଁ, ବରଂ ଉପକୂଳ ଅଞ୍ଚଳରେ ଅନ୍ତର୍ଭୂକ୍ତିମୂଳକ ଓ ବ୍ୟାପକ ଅନୁକୂଳନ ପାଇଁ ନୂତନ ପଥ ସୃଷ୍ଟି କରୁଛି।” ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପ ୪ଟି ବ୍ଲକ୍, ୪୦ଟି ଗ୍ରାମ ପଞ୍ଚାୟତ ଏବଂ ୧୯୧ଟି ଗ୍ରାମରେ କାର୍ଯ୍ୟକାରୀ ହେଉଛି। ଏହା ଦ୍ୱାରା ପ୍ରାୟ ୫୦ ହଜାର ପରିବାର ଉପକୃତ ହେଉଥିବାବେଳେ, ୨୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ ୫ ହଜାର ପ୍ରତ୍ୟକ୍ଷ ହିତାଧିକାରୀ ଏଥିରେ ସାମିଲ ଅଛନ୍ତି।

ପ୍ରତିନିଧି ଦଳ ସହ ଥିବା ବ୍ରହ୍ମପୁର ବନଖଣ୍ଡର ଡିଏଫ୍ଓ ତଥା ଗଞ୍ଜାମ ଜିଲ୍ଲା ପାଇଁ ଏକରିକ୍ ପ୍ରକଳ୍ପର ନୋଡାଲ୍ ଅଫିସର ଶ୍ରୀ ସନି ଖୋଖର କହିଥିଲେ, “ଚିଲିକା–ଗଞ୍ଜାମ ଏବଂ ବାହୁଦା ପରିଦୃଶ୍ୟରେ ମାଙ୍ଗ୍ରୋଭ୍ ଓ ସାମୁଦ୍ରିକ ଘାସ ପୁନରୁଦ୍ଧାର, ସମୁଦ୍ର ଶୈବାଳ ଚାଷ, ସିଷ୍ଟମ୍ ଅଫ୍ ରାଇସ୍ ଇଣ୍ଟେନ୍ସିଫିକେସନ୍, କଙ୍କଡ଼ା ପାଳନ ଏବଂ ରଙ୍ଗିନ ମାଛ ଚାଷ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଉପକୂଳୀୟ ପରିବେଶତନ୍ତ୍ରର ପୁନରୁଦ୍ଧାର କରାଯାଉଛି। ସେହି ସହିତ ସ୍ଥାନୀୟ ସମୁଦାୟ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ଆମ କ୍ଲାଇମେଟ୍ ଚାମ୍ପିଅନ୍‌ମାନଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ ସମୁଦାୟକୁ ସଂଗଠିତ କରିବା, ସ୍ଥାନୀୟ ମାଲିକାନା ଭାବନା ବିକଶିତ କରିବା ଏବଂ ତୃଣମୂଳ ସ୍ତରରେ ଜଳବାୟୁ ଅନୁକୂଳନ ପ୍ରୟାସକୁ ଆଗେଇ ନେବାରେ ସହଯୋଗ କରୁଛନ୍ତି।” ଏହି ଅବସରରେ ଏକରିକ୍ ପ୍ରକଳ୍ପର ଜାତୀୟ ପ୍ରକଳ୍ପ ସଂଯୋଜକ ଡଃ ସୁନ୍ଦୀପ, ଉପ ବନ ସଂରକ୍ଷକ ଶ୍ରୀ ଶିଶିର କୁମାର ମିଶ୍ର, ଚିଲିକା ବନଖଣ୍ଡର ଡିଏଫଓ ଶ୍ରୀ ଅମ୍ଳାନ ନାୟକ, ୟୁଏନଡିପି ବ୍ୟାଙ୍କକ୍ ରିଜିଓନାଲ୍ ହବ୍‌ର ଆଞ୍ଚଳିକ ବୈଷୟିକ ବିଶେଷଜ୍ଞ (ଜଳବାୟୁ ପରିବର୍ତ୍ତନ ଅନୁକୂଳନ) ଆଇଶାଥ ଆଜ୍ଜାଙ୍କ ସମେତ ରାଜ୍ୟ ଓ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking