ଭୁବନେଶ୍ୱର: ଆଜି ହେଉଛି ରଜ ସଂକ୍ରାନ୍ତି । ରଜ ଉତ୍ସବର ଦ୍ୱିତୀୟ ଦିନ ତଥା ପ୍ରମୁଖ ଦିନ । ଓଡିଶାର ଏହି ଲୋକପ୍ରିୟ ଗଣପର୍ବକୁ ନେଇ ଗାଁଠୁ ସହର ସବୁଠି ଦେଖିବାକୁ ମିଳିଛି ଆନନ୍ଦ ଓ ଉଲ୍ଲାସର ପରିବେଶ । ପରମ୍ପରା , ସଂସ୍କୃତି ଓ ଭାଇଚାରାର ଅନନ୍ୟ ବାର୍ତ୍ତା ବହନ କରୁଥିବା ରଜ ପର୍ବ ପାଇଁ ସାରା ଓଡିଶା ଉତ୍ସବମୁଖର ହୋଇଉଠିଛି । ରଜ କେବଳ ଏକ ପର୍ବ ନୁହେଁ, ବରଂ ଓଡିଆ ଜୀବନଶୈଳୀ ଓ କୃଷି ସଂସ୍କୃତିର ଏକ ନିଆରା ପରିଚୟ । ବିଶ୍ୱାସ ରହିଛି ଯେ, ଏହି ସମୟରେ ଧରିତ୍ରୀ ମାଆ ଋତୁମତୀ ହୁଅନ୍ତି । ସେଥିପାଇଁ ଚାଷ କାମ ଠାରୁ ଆରମ୍ଭ କରି ମାଟି ଖୋଳିବା ଭଳି କାମକୁ ବାରଣ କରାଯାଇଥାଏ । ପ୍ରକୃତି ପ୍ରତି ସମ୍ମାନ ଓ ନାରୀତ୍ୱର ଗାରିମାକୁ ଏହି ପର୍ବ ବିଶେଷ ଭାବେ ପ୍ରତିପାଦିତ କରେ । ରଜ ଆସିଲେ ଘରେ ଘରେ ପିଠାର ମହକରେ ମହକି ଉଠେ ପରିବେଶ । ପୋଡପିଠା, ମଣ୍ଡା, ଆରିସା, କାକରା ଭଳି ବିଭିନ୍ନ ପାରମ୍ପରିକ ପିଠା ପ୍ରସ୍ତୁତ କରାଯାଏ । ନୂଆ ପୋଷାକ ପିନ୍ଧି , ଅଳତା ଓ ମେହେନ୍ଦି ଲଗାଇ ସଜବାଜ ହୋଇ ଦୋଳି ଖେଳରେ ମସଗୁଲ ଅଛନ୍ତି କୁମାରୀମାନେ । କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ମଧ୍ୟ ରଜର ଉତ୍ସାହ କିଛି କମ୍ ନାହିଁ । ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ, ପାଲା, ଦାସକାଠିଆ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯୁବପିଢ଼ି ମଧ୍ୟ ଓଡ଼ିଆ ପରମ୍ପରା ସହ ଯୋଡ଼ି ହୋଇ ଏହି ପର୍ବକୁ ଉତ୍ସାହର ସହ ପାଳନ କରୁଛନ୍ତି । ରଜ ହେଉଛି ଆନନ୍ଦର, ମିଳନର ଓ ସଂସ୍କୃତିର ପର୍ବ । ବଦଳୁଥିବା ସମୟ ସହ ଜୀବନଶୈଳୀରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ରଜର ପରମ୍ପରା ଆଜି ବି ଓଡ଼ିଆଙ୍କ ହୃଦୟରେ ସେହିଭଳି ଜୀବନ୍ତ ରହିଛି । ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ଏହି ମହାନ ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ, ଏହାହିଁ କାମନା ।










