ଭୁବନେଶ୍ୱର : ରାତି ପାହିଲେ ପହିଲି ରଜ , ଆଜି ହେଉଛି ସଜବାଜ । ସ୍ନେହ ଶ୍ରଦ୍ଧା,ଭାଇଚାରା, ମଉଜ ମଜଲିଶ ଓଡ଼ିଆର ପର୍ବ ରଜ । ଗାଁଠୁ ସହର ଯାଏ ସବୁଆଡେ ଉତ୍ସବର ମାହୋଲ । ସବୁଠି ଅତିଥି ଅଭ୍ୟାଗତି ଆଉ ପିଠାପଣାର ପ୍ରସ୍ତୁତି । ଆଶା ରଖିଛନ୍ତି ରଜ ହେବ ରଙ୍ଗୀନ । ଆରମ୍ଭ ହୋଇଯାଇଛି ରଜ କାର୍ଯ୍ୟକ୍ରମ । ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାଙ୍କ ପର୍ଯ୍ୟନ୍ତ ଆରମ୍ଭ କରିଛନ୍ତି ରଜର ମାହୋଲ ।
ରାତି ପାହିଲେ ରଜ , ପ୍ରତି ଓଡିଆଙ୍କ ପାଇଁ ୫ ଦିନିଆ ପର୍ବ । ସଜବାଜ, ଖିଆପିଆ, ବୁଲାବୁଲି ଓ ମଜାମସ୍ତିରେ ସମୟ ବିତାଇବାର ମୁହୂର୍ତ୍ତ । ସଜବାଜରୁ ଆରମ୍ଭ ହେଉଥିବା ଏହି ପର୍ବ ବସୁମତି ସ୍ନାନରେ ଶେଷ ହୁଏ । ଆଜି ହେଉଛି ସେଇ ସଜବାଜ ବା ରଜ ଉତ୍ସବର ଆଦ୍ୟ ପର୍ବ କହିଲେ ଚଳେ । କଟକ ଜିଲ୍ଲା ସାଲେପୁରର ବଟେଶ୍ୱରରେ ରଜ ପାଇଁ ଆଜିଠୁ ସଜେଇ ହେଲେଣି କୁମାରୀମାନେ ।
ପିଲାଠୁ ବୟସ୍କ, ସମସ୍ତ ରଜ ମଉଜରେ ସାମିଲ ହେବାକୁ ଏକାଠି ହୋଇଛନ୍ତି ରଜଖଳାରେ । କୁମାରୀମାନେ ସକାଳୁ ସକାଳୁ ଗାଧୁଆପାଧୁଆ ସାରି ସଜେଇ ହୋଇଛନ୍ତି । କିଏ କାହାକୁ ମେହେନ୍ଦୀ ଲଗେଇ ଦେଉଛନ୍ତି ଆଉ କିଏ ପୁଣି ଗଭା ସଜେଇ, କୁକୁମ ଲଗେଇ ଦେଉଛନ୍ତି । ଛୋଟ ଛୋଟ ପିଲାମାନେ ମାତିଛନ୍ତି ଖେଳକୁଦର । ସେହିଭଳି ବୟସ୍କ ବ୍ୟକ୍ତି ଓ ଯୁବକମାନେ ତାସ, ଚେସ୍ ଓ କ୍ୟାମେରା ଖେଳର ମଜା ଉଠାଉଛନ୍ତି ।










